ମାର୍ଗଶିର ମାସରେ ମାତାଲକ୍ଷ୍ମୀଙ୍କ ପୂଜା ଏପରି କରାଯାଏ

ମାର୍ଗଶିର ମାସରେ ମାତାଲକ୍ଷ୍ମୀଙ୍କ ପୂଜା ଏପରି କରାଯାଏ

ବର୍ଷର ପ୍ରତ୍ୟେକ ଗୁରୁବାର ଲକ୍ଷ୍ମୀଙ୍କର ବାର ହେଲେ ମଧ୍ୟ ଚାରି ପବିତ୍ର ମାସ ମଧ୍ୟରୁ ମାର୍ଗଶୀର ମାସର ଗୁରୁବାର ଗୁଡ଼ିକର ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି । ଏହି ଦିନଗୁଡ଼ିକରେ ଧନିଗରିବ, ଉଚ୍ଚନୀଚ ସମସ୍ତେ ଧାନମାଣ ବସାଇ ଅନ୍ନଦାତ୍ରୀ, ଧନସମ୍ପଦର ଦେବୀ ମା’ ଲକ୍ଷ୍ମୀଙ୍କର ପୂଜା କରନ୍ତି ଓ ଲକ୍ଷ୍ନୀ ପୁରାଣ ପାଠ କରନ୍ତି । ପ୍ରତ୍ୟେକ ଓଡ଼ିଆଣୀ ଏହାକୁ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହିତ ପାଳନ କରନ୍ତି । 

ମାର୍ଗଶିର ମାସରେ ପ୍ରଥମ ଧାନ ଅମଳ ଆରମ୍ଭ ହୁଏ । ଚାଷୀ ତା’ ର ଖଳାକୁ ଧାନହଳା ଆଣିଥାଏ । ଧାନ ଅମଳ କରି ଘରକୁ ଆଣିବା ଆଗରୁ ତା'ର ଘରଣୀ ଏଥିରୁ ଧଳାଧାନର ଶିଶା ବାଛି ବାହାର କରିଥାଏ। ଏହି ଧାନର ଶିଶାରେ ବେଣୀ ବାନ୍ଧି ମେଣ୍ଟିବା ମେଣ୍ଟା ପ୍ରସ୍ତୁତ କରି ଏହାକୁ ଶୁଖାଇ ଅତି ଯତ୍ନ ଓ ଆଦରରେ ରଖିଥାଏ । 

ମାଣ ବସାଇବାର ପୂଜାବିଧି :-

ଲକ୍ଷ୍ମୀ ପୁରାଣ ରେ ବର୍ଣ୍ଣିତ ଅଛି, ମା’ ଲକ୍ଷ୍ମୀ ନିଜେ ମାଣବସା ଓ ସୁଦଶା ବ୍ରତ ପୂଜାବିଧି ବୁଢ଼ୀ ବ୍ରାହ୍ମଣୀ ବେଶରେ ଆସି ସାଧବାଣୀକୁ ବୁଝାଇଛନ୍ତି । ବ୍ରାହ୍ମଣୀ ରୂପିଣୀ ମହାଲକ୍ଷ୍ମୀ ତାକୁ କହିଲେ - 

1. ପ୍ରଥମ ସୋପାନରେ :-

1. ବୁଧବାର ଦିନଠାରୁ ଘରଦ୍ଵାର ଲିପିପୋଛି ସଫା ସୁତରା କରିବ । ଗୋବରରେ ଲିପା ହୁଏ, ଅରୁଆ ଚାଉଳ ବାଟି ଲକ୍ଷ୍ମୀପାଦ, ପଦ୍ମଫୁଲ, ଧାନକେଣ୍ଡା, ହାତୀ ଇତ୍ୟାଦିର ଝୋଟି ଦିଆ ହୁଏ । କାନ୍ଥବାଡ଼ ସବୁ ଚିତା ଦେବ । ନୂତନ ଚାଉଳର ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦରେ ଆଙ୍କନ୍ତି ।

2. ଯେଉଁ ଘରେ ମହାଲକ୍ଷ୍ମୀଙ୍କୁ ସ୍ଥାପନା କରିବ ସେ ଘର ଲିପାପୋଛା କରି ଧାନ ଶିଷା ଝୋଟି କାନ୍ଥରେ ଛାଟିବ । ଷୋଳ ପଦ୍ମ ପାଖୁଡାର ଝୋଟି ଦେବ । ଲକ୍ଷ୍ମୀ ପାଦ ପଦ୍ମ ଚିତା ଧାଡ଼ି ଧାଡ଼ି ଲେଖିବ । ଷୋହଳ ପାଖୁଡା ପଦ୍ମ ଉପରେ ଲକ୍ଷ୍ମୀଙ୍କର ଆସ୍ଥାନ ପିଢ଼ା ବା ଖଟୁଲି ଥୋଇବ । ପିଢ଼ା ବା ଖଟୁଲି ଉପରେ ଲକ୍ଷ୍ମୀଙ୍କ ପାଦପଦ୍ମ ଚିତାରେ ମଣ୍ଡିବ । ଗୁରୁବାରରେ କରାଯାଇଥିବା ଝୋଟି ବା ଚିତାକୁ 'ତ୍ରିଶାଖା ଗୁଚ୍ଛ' କୁହାଯାଏ ।

3. ଗୁରୁବାର ଦିନ ରାତି ପାହୁଣୁ ଉଠି, ନିତ୍ୟକର୍ମ ସାରି ଯେଉଁ ଘରେ ଠାକୁର ବସାଇବ ସେ ଘରେ କୋଠି ମରାର ଲେଖିବ ।  ଗୁରୁବାର ଦିନ ନାରୀମାନେ ଶୁଦ୍ଧପୂତ ସହକାରେ ଲକ୍ଷ୍ମୀଙ୍କ ପ୍ରତିମା ରୂପେ ଧାନମପା ମାଣରେ କିଛି ଶୁକ୍ଳଧାନ ଆଣିବ । ସେଇ ଶୁକ୍ଳ ଧାନର ଶିଷାରେ ବେଣ୍ଟିଟିଏ ବାନ୍ଧି ଆଣିବ । 

2. ଦ୍ଵିତୀୟ ସୋପାନରେ :-

1. ଖଟୁଲି ଉପରେ କିଛି ଧାନ ରଖି ତା ଉପରେ ମାଣଟିଏ ରଖିବ । ମାଣପୂର୍ଣ୍ଣ କରି ଧାନ ଦେବ । ଧାନ ଉପରେ ହଳଦୀ ପାଣିରେ ଧୋଇ ତିନୋଟି ଗୁଆ ରଖିବ | ଗୁଆ ଉପରେ ଧାନ ବେଣ୍ଟି ଥୋଇବ । 

2. ହଳଦୀ ଓ ଗୁଗୁଳ ବାଟି ମାଣର ଉପରପାର୍ଶ୍ଵରେ ଲେପ ଦିଆଯାଏ ଯାହାଏକ ମୁହଁର ରୂପ ନେଇଥାଏ । ସେଥିରେ କଉଡିକୁ ଆଖିଭାବେ ବ୍ୟବହାରକରି ନିଜର ସୃଜନଶୈଳି ଦ୍ୱାରା ମାଣକୁ ଏକ ସୁନ୍ଦର ମୁହଁର ରୂପ ଦେଇ ଖଟୁଲିରେ ରଖି ତା ଉପରେ ଧାନର ମେଣ୍ଟାକୁ ରଖାଯାଏ ।

3. କେହି କେହି ବିଧି ଅନୁଯାୟୀ ଖଟୁଲି ଉପରେ ଗବପତ୍ର, ଗୟାତୁଳସୀ, କଳାପାତି ବା କଜ୍ଜଳ, ସିନ୍ଦର ଫରୁଆ,ପାନିଆଁ, ଆଇନା, ପିତ୍ତଳମୂର୍ତ୍ତି ଇତ୍ୟାଦି ମଧ୍ୟ ରଖିଥାନ୍ତି । 

4. ଆଖୁ, ମୂଳା ଇତ୍ୟାଦିରେ ଚୂଳ ସଜାଇବ | ଶେଷରେ ପାଟ, ଛିଟ ନବବସ୍ତ୍ର ବୋହୁଟିଏ ଭଳି ସେଇ ଧାନପୂର୍ଣ୍ଣ ମାଣକୁ ସଜାଇବ । 

5. ଫୁଲମାଳ, ଚୁଆ, ଚନ୍ଦନ, କର୍ପୂର, ସିନ୍ଦୁର, ଧୂପ, ଦୀପ ଦେଇ ମହାଲକ୍ଷ୍ମୀଙ୍କୁ ଆବାହନ କରିବ । ଫଳମୂଳ, ଅରୁଆ ଚାଉଳ, ଦୁବ, ବରକୋଳି ପତ୍ର, ଧୂପ,ଦୀପ ନୈବେଦ୍ୟ ଦେଇ ମା’ ଙ୍କର ପୂଜା ଆରାଧନା କରନ୍ତି । 

6. ଶଙ୍ଖ, ହୁଳହୁଳି, ଲକ୍ଷ୍ମୀ ପୁରାଣ ପାଠ ସହିତ ଖିରି, ଖେଚୁଡ଼ି, ପିଠାପଣାର ଭୋଗରେ ଘର ପବିତ୍ର ଓ ଆନନ୍ଦମୟ ହୋଇଉଠେ ।

3. ତୃତୀୟ ସୋପାନରେ :-

1. ବାଳଭୋଗ

1. ୩ ଧୂପ ମଧ୍ୟରୁ ଏହାକୁ ବାଳଧୂପ କୁହାଯାଏ । ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ ।

2. କ୍ଷୀର, ଦହି, ଛେନା, ନଡ଼ିଆ, ଖଇ, କୋରା,କଦଳୀ, ଗୁଡ଼, ଗୋଲମରିଚ ନାନାପ୍ରକାର ନିସଙ୍ଖୁଡି ଦ୍ରବ୍ୟରେ ବାଳ ଧୂପ କରିବ ।

2. ମଧ୍ୟାହ୍ନଭୋଗ

1. ଏହାପରେ ମଧ୍ୟାହ୍ନ ଧୂପପାଇଁ ପ୍ରସ୍ତୁତି ଆରମ୍ଭ ହୁଏ । ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା,ଖେଚିଡ଼ି, ଚିତଉ, ଦହିପଖାଳ, ଶାଗ ତରକାରୀ ନାନାପ୍ରକାର ଅନ୍ନବ୍ୟଞ୍ଜନ ଇତ୍ୟାଦି ପ୍ରସ୍ତୁତ କରାଯାଇ ମହାଲକ୍ଷ୍ମୀଙ୍କୁ ଶ୍ରଦ୍ଧାର ସହ ଭୋଗ ଲଗାଯାଏ । 

2. ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ଲକ୍ଷ୍ମୀଙ୍କୁ ପାଖରେ ଲାଗି କରାଯାଇଥାଏ ।
୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।

3. ମଧ୍ୟାହ୍ନ ଭୋଗପରେ ମା’ଙ୍କ ସମ୍ମୁଖରେ ଲକ୍ଷ୍ମୀ ପୁରାଣ ବୋଲାଯାଏ । ଏହି ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି । ଏହିଭୋଗକୁ ପରିବାର ଛଡ଼ା ଅନ୍ୟ କାହାକୁ ନଦେବାର ନିୟମ ଅଛି । 

3. ସନ୍ଧ୍ୟା ଧୂପ

1. ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପପରି ଭୋଗ ଲଗାଯାଇ ସନ୍ଧ୍ୟା ପୂଜା କରାଯାଏ । 

2. ସଞ୍ଜକୁ ସନ୍ଧ୍ୟା ଆଳତି କରି,ଠାକୁରାଣୀଙ୍କୁ ଉଠାଇବ ।

4. ଚତୁର୍ଥ ସୋପାନରେ :-

1. ପ୍ରଥମାଷ୍ଟମୀ ଆଗରୁ ଯେଉଁ ଗୁରୁବାର ପଡ଼େ ତାହାକୁ ଅଲାଗି ପାଳି କୁହାଯାଏ | ସେଦିନ ମହାଲକ୍ଷ୍ମୀଙ୍କ ମାଣ ବସେ ନାହିଁ । ପ୍ରଥମାଷ୍ଟମୀ ଯିବା ପରେ ଯେଉଁ ଗୁରୁବାର ପଡ଼େ ସେହି ପାଳି ମାନଙ୍କରେ ମାଣ ବସେ । 

2. ମହାଲକ୍ଷ୍ମୀଙ୍କ ଭୋଗ ଘରର ଝିଅ ବୋହୂଏ ଖାଆନ୍ତି, ବାହାର ତଥା ପର ଲୋକଙ୍କୁ ଏହି ଭୋଗ ଦିଆଯାଏ ନାହିଁ । ଏପରିକି ପରଗୋନ୍ତ୍ରୀ ହୋଇଥିବା ବିବାହିତା ଝିଅମାନଙ୍କୁ ମଧ୍ୟ ଏହି ଭୋଗ ଦିଆଯାଏ ନାହିଁ । 

3. ମାର୍ଗଶିର ମାସର ଶେଷ ଗୁରୁବାର ଦିନ ବ୍ରତ ସାରି ଉଜୁଆ ଯାଏ । ଏହି ଦିନ ପୂର୍ବଭଳି ସମସ୍ତ ନୀତିରେ ମାଣ ବସାଇ ଭୋଗ କରାଯାଏ ।  କିନ୍ତୁ ସେଦିନ ଆରିଷା, କାକରା, ଖଜା, ଗଜା, ମଣ୍ଡା ପିଠା ଓ ଖିରି ଭୋଗ ହୁଏ । 

4. ଉଦଯାପନ ସରିଲେ ବା ସଞ୍ଜ ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ ।  ପୂଜାର ଅନ୍ୟ ସମସ୍ତ ସଜକୁ ସହକାରେ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ । 

5. ପୂଜାରେ ବ୍ୟବହୃତ ଧାନକୁ କୁଟିକାଣ୍ଡି ରଖିବ । କୁଣ୍ଡାକୁ ଘର ଗାଈ ବଳଦଙ୍କୁ ଖାଇବାକୁ ଦେବ | ଚାଉଳକୁ ଜାଉ ବା କ୍ଷୀରୀ କରି ଘର ଲୋକମାନେ ଖାଇବେ ।

ଧନ୍ୟବାଦ

Post a Comment

0 Comments