ଲକ୍ଷ୍ମୀପୁରାଣରୁ ଜାଣନ୍ତୁ କ'ଣ ନୀତିଶିକ୍ଷା ମିଳେ ?

ଲକ୍ଷ୍ମୀପୁରାଣରୁ ଜାଣନ୍ତୁ କ'ଣ ନୀତିଶିକ୍ଷା ମିଳେ ?



ଅନ୍ୟ ପର୍ବପର୍ବାଣି ପରି ମାଣବସା ଗୁରୁବାରରେ ମଧ୍ୟ ସ୍ୱାସ୍ଥ୍ୟ ଓ ସାମାଜିକ ବିଜ୍ଞାନର ତଥ୍ୟ ରହିଛି । ପରିଷ୍କାର ପରିଚ୍ଛନ୍ନ ରହିବା, ପ୍ରତ୍ୟେକ ଜିନିଷ ଯଥାସ୍ଥାନରେ ରଖି ଘର ସଜାଡ଼ିବା, ପ୍ରଭାତରୁ ଶଯ୍ୟାତ୍ୟାଗ କରିବା, କର୍ମ ଚଞ୍ଚଳ ହେବା, ଗୃହରେ ଶାନ୍ତିଶୃଙ୍ଖଳା ଓ ସ୍ନେହଶ୍ରଦ୍ଧା ବଜାୟ ରଖିବା, ଉଚ୍ଚନୀଚ ଭେଦଭାବ ନ ରଖିବା ଇତ୍ୟାଦି ନୀତିଶିକ୍ଷା ଏଥିରୁ ମିଳେ । ଘରଦ୍ୱାର ଗୋବରରେ ଲେପିବା ଫଳରେ ଗୃହର ପବିତ୍ରତା ବୃଦ୍ଧି ପାଇବା ସହିତ ବହୁ ଅନିଷ୍ଟକାରୀ ଜୀବାଣୁ ନଷ୍ଟ ହୁଅନ୍ତି ।

ମାଣବସା ଗୁରୁବାର ଓଷା ଏକ କୃଷିଭିତ୍ତିକ ପର୍ବ । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ସମୟରେ ଧନଧାନ୍ୟ, ବାତ୍ସଲ୍ୟ ଓ ଦୟାକ୍ଷମାର ପ୍ରତିମୂର୍ତ୍ତି ରୂପେ ଲକ୍ଷ୍ମୀଙ୍କୁ କଳ୍ପନା କରାଯାଇ ଘରର ଶ୍ରୀ, ସମୃଦ୍ଧି, ପରିଷ୍କାର-ପରିଚ୍ଛନ୍ନତା ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । ପରିଷ୍କାର ପରିଚ୍ଛନ୍ନତାର ଅନ୍ୟ ନାମ ସୌନ୍ଦର୍ଯ୍ୟ । ଏହି ସୌନ୍ଦର୍ଯ୍ୟ ଓ ନିର୍ମଳତା ହିଁ ଲକ୍ଷ୍ମୀ । ଲକ୍ଷ୍ମୀ ପୁରାଣଟି ଏକାଧାରରେ ପତିବ୍ରତା, ଅତିଥି ସେବା, କୂଳାଚାର, ଲୋକାଚାର, ଜାତିଭେଦ, ସଂସାରନୀତି, ସ୍ୱାସ୍ଥ୍ୟନୀତିର ଏକ ଅପୂର୍ବ ସମାହାର ।

  • ଧନୀ, ଗରିବ, ଜାତି, ଅଜାତି ସମସ୍ତେ ପୂଜନ୍ତି ମା' ଲକ୍ଷ୍ମୀ ଠାକୁରାଣୀଙ୍କୁ । ମୂଲ୍ୟବାନ ଭୋଗରେ କି ଅମୂଲ୍ୟ ଧନରେ ସନ୍ତୁଷ୍ଟ ହୁଅନ୍ତି ନାହିଁ ମା’ । ଲକ୍ଷ୍ମୀ ଠାକୁରାଣୀ ତା’ରି ଉପରେ ସନ୍ତୁଷ୍ଟ ହୋଇଥାନ୍ତି, ଯିଏ ତାଙ୍କୁ ନିଷ୍ଠାର ସହିତ ପୂଜା କରିଥାନ୍ତି ।

  • ସେ ଦରିଦ୍ର ହେଉ କି ନିଜ ଜାତିର ହୋଇଥାଉ, ମା’ ଏଥିରେ ଭେଦଭାବ କରନ୍ତି ନାହିଁ । ଯିଏ ନିଷ୍ଠାର ସହିତ ତାଙ୍କୁ ଡାକନ୍ତି, ଅଚିରେ ସେ ତା’ ଡାକ ଶୁଣନ୍ତି । ଆଉ ମନ ଜାଣି ଫଳ ମଧ୍ୟ ଦିଅନ୍ତି । 

  • ଗୁରୁବାର ମା’ଙ୍କର ଅତ୍ୟନ୍ତ ପ୍ରିୟ ଦିନ । ବିଶେଷ କରି ମାର୍ଗଶୀର ମାସର ଗୁରୁବାର ଦିନ ଯିଏ ମା’ଙ୍କୁ ନିଷ୍ଠାର ସହ ଏବଂ ବିଧିବିଧାନ ପୂର୍ବକ ସ୍ମରଣ ଓ ପୂଜାର୍ଚ୍ଚନା କରେ, ତା’ର ସମସ୍ତ ଅନିଷ୍ଟକୁ ମା’ ଅଚିରେ ନଷ୍ଟ କରନ୍ତି । ଏହି ଦିନମାନଙ୍କରେ ମାଣ ବସାଯାଇ ମା'ଙ୍କୁ ଆବାହନ କରାଯାଏ । ଏହାଦ୍ୱାରା ମା’ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ କୃପା କରିଥାନ୍ତି।

ନାମକରଣ

ମାଣ ବସାଇବାରୁ "ମାଣବସା" ନାମ ଆଧାରିତ । ଚାଉଳ ଆଦି ଶସ୍ୟ ମାପିବା ପାଇଁ ମାଣ ବ୍ୟବହାର ହୋଇଥାଏ । ଏହି ଓଷାରେ ଧାନମାଣ ବସାଇ ତାହାକୁ ପୂଜା କରାଯାଉଥିବାରୁ ଓଷାଟି ମାଣବସା ନାମରେ ଜଣା ।

କିମ୍ବଦନ୍ତୀ

ମାଣବସା ଗୁରୁବାରର କିମ୍ବଦନ୍ତୀ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣରେ ବଖଣାଯାଇଛି । ଏଥି ମତେ ଦାସଦାସୀ ପରିବେଷ୍ଟିତ ଲକ୍ଷ୍ମୀ ଦିନେ ସ୍ୱାମୀଙ୍କ ଠାରୁ ମାଣବସା ଗୁରୁବାର ଅନୁମତି ନେଇ ନଗର ଭ୍ରମଣରେ ବ୍ରାହ୍ମଣୀ ରୂପରେ ବଡ଼ ଦେଉଳରୁ ବାହାରି ଗଲେ । କିଏ ତାଙ୍କୁ ପୂଜୁଛି ତାହା ଜାଣିବା ନିମନ୍ତେ ସେ ଘର ଘର ବୁଲିଲେ । ଅନେକ ଧନୀ, ବଡ଼ ଲୋକ ସେଦିନ ଗୁରୁବାର ବୋଲି ଭୁଲି ଯାଇଥିବା ଦେଖିବା ପରେ ସେ ଶ୍ରୀୟା ନାମକ ଜଣେ ଚଣ୍ଡାଳୁଣୀ ଘରେ ପହଞ୍ଚିଥିଲେ। ଘରଦ୍ୱାର ପରିଷ୍କାର କରି ଲିପାପୋଛା କରି ଶ୍ରୀୟା ତାଙ୍କ ପୂଜା ପାଇଁ ସଜ, ଭୋଗ-ନୈବେଦ୍ୟ ଆଦି ସଜାଡ଼ି ରଖୁଥିଲା । ଲକ୍ଷ୍ମୀ ତାହାଙ୍କ ଭକ୍ତିରେ ମୁଗ୍ଧ ହୋଇ ସେଠାରେ ହିଁ ରହିଗଲେ । ଏହା ଶୁଣି ବଳରାମ କୋପକଲେ । 

ସେତେବେଳର ସମାଜରେ ଅଛୁଆଁ ଭାବେ ଗଣା ଯାଉଥିବା ଚଣ୍ଡାଳୁଣୀର ଘରେ ପାଦ ଦେଇଥିବାରୁ ବଡ଼ଦେଉଳ ଦ୍ୱାର ଲକ୍ଷ୍ମୀଙ୍କ ପାଇଁ ବନ୍ଦ ହୋଇଥିଲା । ଅପମାନିତ ହୋଇ ସେ ଘରୁ ବାହାରି ଗଲେ । ଯିବା ବେଳେ ପଣ କଲେ କାଳିଆ-ବଳିଆ (ଜଗନ୍ନାଥ-ବଳଭଦ୍ର) ଦୁଇ ଭାଇଙ୍କୁ ଉଚିତ ଶିକ୍ଷା ଦେବେ । ଲକ୍ଷ୍ମୀଙ୍କ ନିର୍ଦ୍ଦେଶରେ ସମୁଦ୍ର କୂଳରେ ଆଉ ଏକ ପ୍ରାସାଦ ଗଢ଼ାହେଲା ତାଳବେତାଳ ବଡ଼ଦେଉଳରୁ ସବୁ ଜିନିଷ ଲୁଟିନେଇ ତାହାକୁ ଶ୍ରୀହୀନ କରିଦେଲେ । ଖାଇବାକୁ ନପାଇ ଦୁଇଭାଇ ଭୋକରେଆଉଟୁ ପାଉଟୁ ହୋଇ ଶେଷରେ ସେହି ପ୍ରାସାଦ ସମ୍ମୁ ଖରେ ପହଞ୍ଚିଲେ। ପ୍ରାସାଦ ମାଲିକାଣୀଙ୍କ ଅତିଥେୟତାରେ ବିମୁଗ୍ଧ ହୋଇ ସେମାନେ ପ୍ରାସାଦ ମାଲିକ/ମାଲିକାଣୀଙ୍କୁ ଲୋଡ଼ିଲେ। ଆଉ ପରିଚୟ ପାଇବା ପରେ ନିଜକୁ ଲଜ୍ଜିତ ମନେ କଲେ ଦୁଇ ଭାଇ । ଶୁଚିଶୁଦ୍ଧ ଲୋକର ଦ୍ୱାରକୁ ଯିବାକୁ ବାରଣ ନାହିଁ କି ଛୁଆଁ ଅଛୁଆଁ ଭେଦଭାବ ରହିବ ନାହିଁ ବୋଲି ପ୍ରତିଶ୍ରୁତି ପାଇବା ପରେ ଲକ୍ଷ୍ମୀ ଶ୍ରୀମନ୍ଦିରକୁ ବାହୁଡ଼ିଥିଲେ ।

ମା’ଙ୍କୁ ନିଷ୍ଠାର ସହିତ ଆରାଧନା କଲେ, ପରିବାରରୁ ସମସ୍ତ ଦୁଃଖ ଓ ସମସ୍ୟା ଦୂର ହୋଇ ସୁଖଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ପାଏ । ଏଥିପାଇଁ ମା’ଙ୍କୁ ଦରିଦ୍ର ଭଞ୍ଜନୀ ବୋଲି କୁହାଯାଏ ।

ସର୍ଵତ ବିରାଜିତ ମା' ଲକ୍ଷ୍ମୀ :-

ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଧର୍ମ ପତ୍ନୀ ମାତା ଲକ୍ଷ୍ମୀ କେବଳ ଶ୍ରୀମନ୍ଦିରରେ ରହନ୍ତି, ତାହା ନୁହେଁ ମା’ ଲକ୍ଷ୍ମୀ ସମସ୍ତଙ୍କ ପାଖରେ, ସମସ୍ତଙ୍କ ଘରେ ବାସ କରିନ୍ତି । ଏଥିପାଇଁ କୁହାଯାଏ, ମା’ ଲକ୍ଷ୍ମୀ ସର୍ବତ ବିରାଜିତ । 

ବିଶ୍ୱାସ ରହିଛି, ମାତା ଲକ୍ଷ୍ମୀ ଯେଉଁ ବ୍ୟକ୍ତି ଉପରେ କୋପ କରନ୍ତି, ସେ ଖାଦ୍ୟପେୟ ପାଏ ନାହିଁ । ମା' ଲକ୍ଷ୍ମୀଙ୍କର ଧାନ ଅତିପ୍ରିୟ । ଧାନ ମା' ଲକ୍ଷ୍ମୀଙ୍କ ସ୍ଵରୁପ ବୋଲି ଧରାଯାଏ । ଏଣୁ ମାଣରେ ଧାନ ରଖାଯାଇ ମା' ଲକ୍ଷ୍ମୀଙ୍କୁ ଆବାହନ ସହ ପୂଜା କରାଯାଏ । ମା' ଲକ୍ଷ୍ମୀ ବିଶେଷ କରି ପରିଷ୍କାର ପରିବେଶ ଓ ସତ୍ୟପ୍ରିୟ ଏବଂ କର୍ମନିଷ ଲୋକଙ୍କ ପାଖରେ ବାସ କରନ୍ତି |

Post a Comment

0 Comments