କାର୍ତ୍ତିକ ବ୍ରତର କିଛି ନିୟମ

କାର୍ତ୍ତିକ ବ୍ରତର କିଛି ନିୟମ 

କାର୍ତ୍ତିକ ମାସସାରା ବ୍ରତ କରିବା ଦ୍ୱାରା ଭଗବାନ ବିଶେଷ କୃପା ମିଳିଥାଏ | ତେବେ ଏହି ମାସରେ ବ୍ରତ ରଖିବା ପାଇଁ ହେଲେ କେତେକ ନୀତିନିୟମ ପାଳନ କରିବାକୁ ପଡିଥାଏ |

ତେବେ ସେଗୁଡିକ ...

1.ଏହି ମାସରେ ତୁଳସୀ ପୂଜାର ବିଶେଷ ମହତ୍ତ୍ୱ ରହିଛି | ତୁଳସୀ ପୂଜା ବିନା କାର୍ତ୍ତିକ ବ୍ରତ କରିବାର କୌଣସି ମାନେ ନଥାଏ | 

  • ଏଣୁଏହି ମାସରେ ପ୍ରତିଦିନ ତୁଳସୀପୂଜା ସହିତ ଦୀପ ଦେବା ଓ ସେବନ କରିବାରେ ବିଶେଷ ଲାଭ ମିଳିଥାଏ | 
  • ଏମିତିରେ ବି ପ୍ରତ୍ୟେକ ମାସରେ ତୁଳସୀ ପୂଜା କରିବା ଦ୍ୱାରା ଭଗବାଙ୍କ କୃପା ମିଳିଥାଏ | ହେଲେ କାର୍ତ୍ତିକ ମାସରେ ତୁଳସୀ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ଅଧିକ ସନ୍ତୁଷ୍ଟ ହୁଅନ୍ତି |

 2. ଏହି ମାସରେ ସୁଖ ବିଳାସରେ ନିଦ୍ରା ଯିବା ଅନୁଚିତ | ଶୀଘ୍ର ନିଦ୍ରା ଯାଇ ପ୍ରାତଃରୁ ଉଠି ନିତ୍ୟକର୍ମ ସାରି ଦେବ ଦର୍ଶନ କରିବା ଦରକାର |

  • ଏଥିପାଇଁ ଭୂମିରେ ଶୋଇବା କାର୍ତ୍ତିକରେ ପ୍ରମୁଖ କାର୍ଯ୍ୟ ମାନାଯାଏ | ତଳେ ଶୋଇଲେ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହୁଏ |
  • କାମନା ଭାବ ଦୂର ହୋଇଥାଏ ଏବଂ ପ୍ରାତଃରୁ ନିଦ ଭାଙ୍ଗି ଥାଏ |

3.କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟ ପାଳନକୁ ଗୁରୁତ୍ୱ ଦିଆଯାଏ | ଏହାକୁ ପାଳନ ନ କରିବା ଦ୍ୱାରା ପତିପତ୍ନୀଙ୍କ ଦୋଷ ଲାଗିଥାଏ ଓ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ |

4.କାର୍ତ୍ତିକ ମାସରେ ଆମିଷ କିମ୍ବା ଆମିଷ ଜାତୀୟ ଉତ୍ତେଜକ ଖାଦ୍ୟ ନ ଖାଇ ସାଧା ତଥା ସ୍ୱାତ୍ତିକ ଆହାରଗ୍ରହଣ କରିବା ଦରକାର | ଏପରିକି ପିଆଜ , ରସୁଣ ଆଦି ନ ଖାଇଲେ ଭଲ |
  • ଯଦି ମାସ ସାରା ଏହି ନିୟମ ପାଳନ କରିପାରିବେ ନାହିଁ ,ତେବେ ପଞ୍ଚକ 5ଦିନ ପାଳନ କରିବା ଏକାନ୍ତ ଆବଶ୍ୟକ | 

5.ବ୍ରତ ରଖିଥିବା ବ୍ୟକ୍ତି ଯେତେ ସମ୍ଭବ କଥା କମ କହିବା, ଅନ୍ୟ ସହ ଭଲ ବ୍ୟବହାର କରିବା ସହିତ ଭଗବାନଙ୍କୁ ସ୍ମରଣ କରିବା ଦରକାର |
  • ଅନ୍ୟ କାହାର ଅନିଷ୍ଟ ଚିନ୍ତା ନକରି ସର୍ବଦା ଭଗବାନଙ୍କ ପାଖରେ ମନ ନିବେଶ କରିବା ଦରକାର |
  • ଏହାଦ୍ୱାରା ମନ ଏକାଗ୍ର ହୋଇ ଧର୍ମ କାର୍ଯ୍ୟରେ ଲାଗିବ ଏବଂ ଭଗବାନଙ୍କ କୃପା ପ୍ରାପ୍ତ ହେବ |   

କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଗୁଡିକ ହେଲା :-

1. କୃଷ୍ଣ ଚତୁର୍ଥୀ: କରୱ।ଚୌଥ
2. କୃଷ୍ଣ ଦ୍ୱାଦଶୀ: ଗୋବତ୍ସା ଦ୍ୱାଦଶୀ
3. କୃଷ୍ଣ ତ୍ରୟୋଦଶୀ: ଧନ ତ୍ରୟୋଦଶୀ/ ଧନତେରାସ/ ଧନ୍ୱନ୍ତରୀ ଜୟନ୍ତୀ
4. କୃଷ୍ଣ ଚତୁର୍ଦ୍ଦଶୀ: ନରକ ଚତୁର୍ଦ୍ଦଶୀ
5. ଅମାବାସ୍ୟା: କାଳୀ ପୂଜା, ଦୀପାବଳୀ ଓ ପୟାଶ୍ରାଦ୍ଧ
6. ଶୁକ୍ଳ ଦ୍ୱିତୀୟା: ଯମଦ୍ୱିତୀୟା
7. ଶୁକ୍ଳ ଚତୁର୍ଥୀ: ନାଗ ଚତୁର୍ଥୀ
8. ଶୁକ୍ଳ ପଞ୍ଚମୀ: ଲାଭ ପଞ୍ଚମୀ
9. ଶୁକ୍ଳ ଷଷ୍ଠୀ: ଛଠ ପୂଜା
10. ଶୁକ୍ଳାଷ୍ଟମୀ: ଗୋଷ୍ଠାଷ୍ଟମୀ ବା ଗୋପାଷ୍ଟମୀ: ଗୋସେବା ଉତ୍ସବ ।
11. ଶୁକ୍ଳ ନବମୀ: ଅଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧାପାଦ ଦର୍ଶନ

ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ: ଭୀଷ୍ମ ପଞ୍ଚକ

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ  ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତକୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହି ଅବସରରେ ଶ୍ରୀମନ୍ଦିରରେ ପ୍ରତ୍ୟହ ଅବକାଶ ନୀତି ଶେଷହେବା ପରେ ଶ୍ରୀଜୀଉମାନଙ୍କୁ ଏହିସବୁ ଆକର୍ଷଣୀୟ ବେଶରେ ସୁସଜ୍ଜିତ କରାଯାଇଥାଏ  । 

ପ୍ରତିବର୍ଷ ଶ୍ରୀମନ୍ଦିରରେ ଆଶ୍ଵିନ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ଶ୍ରୀଜୀଉ ମାନଙ୍କର ”ରାଧାଦାମୋଦର ବେଶ” ଅନୁଷ୍ଠିତ ହୋଇଥାଏ । ଏହି ମନୋରମ ବେଶ କାର୍ତ୍ତିକ ମାସରେ ଦୀର୍ଘ ଏକ ମାସ ଧରି  ହୋଇଥାଏ । ପୌରାଣିକ ମତନୁଯାୟୀ ଅକ୍ରୁର ମଥୁରା ଯିବା ସମୟରେ ଯମୁନା ନଦୀରେ ସ୍ନାନ କରୁଥିବା ସମୟରେ ଏହି ବେଶରେ ପ୍ରଭୁଙ୍କୁ ଜଳରେ ଦର୍ଶନ କରିଥିଲେ । ରାଧାଦାମୋଦର ବେଶରେ ପ୍ରଭୁ ଜଗନ୍ନାଥ ଓ ଶ୍ରୀବଳଭଦ୍ର ତ୍ରିଚ୍ଛକ ପରିଧାନ କରିଥାନ୍ତି ।

1. ଶୁକ୍ଳ ଏକାଦଶୀ: ଦେବଉତ୍‌ଥାପନ ଏକାଦଶୀ/ ପ୍ରବୋଧିନୀ ଏକାଦଶୀ, 
ଶ୍ରୀମନ୍ଦିରରେ ଲକ୍ଷ୍ମୀନାରାୟଣ ବେଶ ବା ଠିଆକିଆ ବେଶ
2. ଶୁକ୍ଳ ଦ୍ୱାଦଶୀ: ଗରୁଡ଼ ଦ୍ୱାଦଶୀ, 
ଶ୍ରୀମନ୍ଦିରରେ ବାଙ୍କଚୂଡ଼ା ବେଶ ବା ବାମନ ବେଶ
3. ତ୍ରୟୋଦଶୀ: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶ ବା ଆଡ଼କିଆ ବେଶ
4. ଶୁକ୍ଳ ଚତୁର୍ଦ୍ଦଶୀ: ବୈକୁଣ୍ଠ ଚତୁର୍ଦ୍ଦଶୀ, 
ଶ୍ରୀମନ୍ଦିରରେ ଲକ୍ଷ୍ମୀନୃସିଂହ ବେଶ ବା ଡାଳିକିଆ ବେଶ
5.କାର୍ତ୍ତିକ ପୂର୍ଣ୍ଣିମା: ରାସ ପୂର୍ଣ୍ଣିମା, 
ଶ୍ରୀମନ୍ଦିରରେ ରାଜରାଜେଶ୍ୱର ବେଶ ବା ସୁନାବେଶ
6. ଯଦି ପଞ୍ଚୁକ ମଳ ତଥା ଛଅଦିନ ହୁଏ ତେବେ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ | 
ମଳତିଥିରେ: ନାଗାର୍ଜୁନ ବେଶ

Post a Comment

0 Comments