କୁମାର ପୂର୍ଣ୍ଣିମାରେ ରାଶି ଆନୁସାରେ ବିଧିବିଧାନ
କୁମାର ପୂର୍ଣ୍ଣିମାର ମହତ୍ତ୍ୱ
ଧାର୍ମିକ ବିଶ୍ୱାସ ଅନୁଯାୟୀ,ଏହି ଦିନ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥିତିରେ ଥାଏ | ତେଣୁ ଏହି ରାତିରେ ସେ ଅଧିକ ଉଜ୍ଜ୍ଵଳ ଓ ତେଜୋମୟ ଦେଖାଯାନ୍ତି | ସାରା ବର୍ଷରେ ଏହା କେବଳ ଗୋଟିଏ ଅବସର, ଯେଉଁ ରାତିରେ ଷୋହଳକଳା ସମ୍ପନ୍ନ ଚନ୍ଦ୍ରଦେବଙ୍କ ଦର୍ଶନ ମିଳେ | ଏବଂ ଚନ୍ଦ୍ର କିରଣ ମଣିଷର ସ୍ୱାସ୍ଥ୍ୟ ଓ ଚିନ୍ତାଧାରା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ୱାସ ରହିଛି ।
କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ । ଏହି ଦିନ ସମୃଦ୍ଧିର ଦେବୀ ଲକ୍ଷ୍ମୀଙ୍କୁ ଗଜ ବାହନ ସହ ପୂଜା କରାଯାଇଥାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଇଥାଏ । ଏହି ଦିନ ମାତା ଲକ୍ଷ୍ମୀଙ୍କ ଜନ୍ମ ସହିତ ଚନ୍ଦ୍ର ଏହି ଦିନ ନିଜ କିରଣରେ ପୃଥିବୀରେ ଅମୃତ ବର୍ଷା କରନ୍ତି । ସେଥିପାଇଁ କେତେକ ସ୍ଥାନରେ ଲୋକେ ଏହି ଦିନ ଚନ୍ଦ୍ରଦେବଙ୍କ ପୂଜାକରି ନୈବେଦ୍ୟ ସ୍ୱରୂପ କ୍ଷୀରି ପ୍ରସ୍ତୁତ କରନ୍ତି ଏବଂ ଘରର ଛାତ ଉପରେ ଖୋଲା ଆକାଶ ତଳେ ରଖି ଦିଅନ୍ତି |ସୁର୍ଯୋଦୟ ପୂର୍ବରୁ ତାକୁ ପରିବାରର ସମସ୍ତ ସଦସ୍ୟଙ୍କୁ ଭୋଗ ରୂପେ ପ୍ରଦାନ କରାଯାଏ |
ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ବିଶ୍ୱାସ କରାଯାଏ ଯେ ଶରଦ ପୂର୍ଣ୍ଣିମା ଦିନ ଛୋଟ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ବଡ ବିପର୍ଯ୍ୟୟ ଦୂର ହୋଇପାରିବ।
ଅନ୍ୟ ପୌରାଣିକ ବର୍ଣ୍ଣନା ଅନୁସାରେ ମା'ଲକ୍ଷ୍ମୀଙ୍କର ଏହି ରାତିରେ ସେ ଧରାବତରଣ କରି ରାତିରେ ପୃଥିବୀ ଭ୍ରମଣ କରନ୍ତି | ସେହି ସମୟରେ ଯିଏ ଜାଗ୍ରତ ଥାଏ ତାକୁ ଧନ,ସୁଖ ଏବଂ ସମୃଦ୍ଧି ପ୍ରଦାନ କରନ୍ତି | 'କୋଜାଗର' ଅର୍ଥ କିଏ ଜାଗ୍ରତ ? ଜାଗ୍ରତ ଯିଏ, ସେ ହିଁ ତାଙ୍କର କୃପାଲାଭ କରି ପାରିବ | ସେଥିପାଇଁ ଏହି ଦିନ ଲୋକେ ଭକ୍ତି ଓ ନିଷ୍ଠାରେ ତାଙ୍କର ପୂଜା କରି ରାତିରେ ଉଜାଗର ରହନ୍ତି ଓ 'ଜାଗର' ପାଳନ କରନ୍ତି |ସେଥିପାଇଁ ଏହାକୁ କୋଜାଗର ପୂର୍ଣ୍ଣିମା ମଧ୍ୟ କୁହାଯାଏ |
କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ରୂପେ ବିବେଚନା କରାଯାଏ । ଭାଦ୍ରବ ପୂର୍ଣ୍ଣିମା ବା ଇନ୍ଦୁ ପୂର୍ଣ୍ଣିମାଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ କୁମାରୀ କନ୍ୟାମାନେ ଏକାଠି ହୋଇ ଜହ୍ନି ଓଷା କରନ୍ତି । ଏହି ଓଷାର ଉଦ୍ଯାପନ କୁମାର ପୂର୍ଣ୍ଣିମା ଦିନ ହୋଇଥାଏ ।ଏହି ଦିନ କୁମାରୀମାନେ ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା ମଧ୍ୟ କରିଥାନ୍ତି ।
ଏହା ସହ ସେମାନେ ସନ୍ଧ୍ୟା ସମୟରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି । ପୁରାଣରେ କଥିତ ଅଛି ଯେ ତୁଳସୀ ଦେବୀ ଜଣେ ପରମ ପତିବ୍ରତା ନାରୀ ଥିଲେ । ତାଙ୍କର ପତିବ୍ରତା ଗୁଣ ଯୋଗୁଁ ହିଁ ତାଙ୍କୁ ବୃକ୍ଷ ରୂପରେ ପୂଜା ପାଇବାର ବର ମିଳିଥିଲା ।
ଯୁଗେ ଯୁଗେ କୁମାରୀମାନେ ଉତ୍ତମ ବର ପାଇବା ପାଇଁ ଓ ବିବାହିତା ନାରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି ପାଇଁ ଚଉରା ପୂଜା କରି ଆସିଛନ୍ତି । ତେଣୁ କୁମାର ପୂର୍ଣିମାରେ ମଧ୍ୟ ଚଉରା ପୂଜା କରାଯାଇଥାଏ ।
କାର୍ତ୍ତିକେୟ ଏହି ଦିନ ତାଡ଼କାସୁର ସହିତ ଯୁଦ୍ଧ ଆରମ୍ଭ କରିଥିଲେ । ତାଡ଼କାସୁରକୁ ପରାଜିତ କରିଥିବାରୁ ତାଙ୍କୁ ଯୁଦ୍ଧର ଦେବତା ଭାବେ ମଧ୍ୟ ଜଣାଯାଏ । ତେବେ ଏହି ପର୍ବରେ କାର୍ତ୍ତିକେୟଙ୍କ ପାଇଁ କୌଣସି ବିଶେଷ ପୂଜା ବିଧି ନାହିଁ ।
ଗଜଲକ୍ଷ୍ମୀ ପୂଜା
ଏହି ଦିନ ତୁଳସୀ ଚଉରା, ଗଜଲକ୍ଷ୍ମୀ,ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ ଓ ପୌରୁଷ କାମନା କରିଥାନ୍ତି ।
- ଏହି ଦିନ ଘରର କୁମାରୀମାନେ ଭୋର୍ରୁ ଉଠି ସ୍ନାନାଦି ନିତ୍ୟକର୍ମ ସାରି ନୂତନ ବସ୍ତ୍ର ପରିଧାନ କରିଥାନ୍ତି ।
- ଏହାପରେ ସେମାନେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି । ଏହି ବିଧିକୁ ଆଞ୍ଜୁଳା ଟେକା ବିଧି କୁହାଯାଏ ।ତେବେ ଓଡ଼ିଶାର କେତେକ ଅଞ୍ଚଳରେ ଏହି ଆଞ୍ଜୁଳା ଟେକା ବିଧି ପାଳନ କରାଯାଏ ନାହିଁ ।
- ଏହି ପର୍ବରେ କୁମାରୀମାନେ ଦିନସାରା ଉପବାସ କରିଥାନ୍ତି । ଏହିଦିନ କୁମାରୀ ତଥା ବିବାହିତା ମହିଳାମାନେ ପାଦରେ ଅଳତା ଲଗାଇଥାନ୍ତି । ଅଳତା ହେଉଛି ଭାରତୀୟ ପରମ୍ପରାରେ ଅହିସୁଲକ୍ଷଣୀ ହେବାର ପ୍ରତୀକ ।ପ୍ରତ୍ୟକ ପୂଜା ପର୍ବରେ ଭାରତୀୟ ନାରୀମାନେ ଅଳତା ଲଗାଇ ନିଜ ଜୀବନସାଥୀର ଦୀର୍ଘ ଜୀବନ କାମନା କରିଥାନ୍ତି ।
- ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ ।
- କୁମାର ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଚଉରା ଆଗରେ ମୁରୂଜରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଥାଏ ଓ ଚଉରାକୁ ଫୁଲ ଓ ସିନ୍ଦୁରରେ ସଜାଯାଇଥାଏ ।
- ଚଉରାକୁ ସଜାଇବାରେ ମୁଖ୍ୟତଃ କଇଁ ଫୁଲ ବ୍ୟବହାର କରାଯାଇଥାଏ । ଚନ୍ଦ୍ର ଉଦୟ ହେଲେ କଇଁ ଫୁଟିଥାଏ । ଏହି ପର୍ବରେ ଚନ୍ଦ୍ରଙ୍କ ପୂଜା କରାଯାଉଥିବାରୁ ଏଥିରେ କଇଁ ଫୁଲ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ ।
- ଏହି ଦିନ ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ ।
- ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା' ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ ।
- ଚଉରା ପାଖରେ ସ୍ଥାପନ କରାଯାଇଥିବା କଳସରେ ମଧ୍ୟ ଆମ୍ବଡାଳ, ଗୁଆ, ସିନ୍ଦୁର, ଚନ୍ଦନ ଇତ୍ୟାଦି ଦେଇ ଅନୁରୂପ ଭାବେ ସଜାଯାଇଥାଏ ।
- ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ ।
- ପୂଜା ସମୟରେ ଚାନ୍ଦ ଚକଟା ଓ ମଣ୍ଡା ପିଠା ଭୋଗ ଚଉରା ଏବଂ ଚନ୍ଦ୍ରଙ୍କୁ ଅର୍ପଣ କରି ସେମାନଙ୍କୁ ଶଙ୍ଖ ଓ ହୁଳହୁଳି ସହ ଦୀପରେ ବନ୍ଦାଇ ଦିଆଯାଏ ।
- ଯେଉଁ ଘରେ କୌଣସି କୁମାରୀ କନ୍ୟା ନ ଥାନ୍ତି, ସେ ଘରେ ବିବାହିତା ସ୍ତ୍ରୀମାନେ ନିଜ ସ୍ୱାମୀଙ୍କ ସୁଖ ସମୃଦ୍ଧି କାମନା କରି ଚଉରା ଓ ଚନ୍ଦ୍ର ପୂଜା କରିଥାନ୍ତି ।
- ପୂଜା ସରିଲା ପରେ ଭୋଗ ଖାଇ କୁମାରୀ କନ୍ୟାମାନେ ନିଜର ସାରା ଦିନର ଉପବାସ ଭାଙ୍ଗିଥାନ୍ତି ।
- ଗୀତ ଗାଇ ପୁଚି ଖେଳିଥାନ୍ତି । ଐତିହ୍ୟ, ପରମ୍ପରା ଅନୁଯାୟୀ ଏହି ଦିନରେ ତାସଖେଳର ମଜା ଉଠାଇଥାନ୍ତି ଜିଲ୍ଲାବାସୀ। ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ମାତିଥାନ୍ତି ତାସ ଖେଳରେ। ପୁଅମାନେ ପଶା ଓ ତାସ୍ ଖେଳି ମନୋରଞ୍ଜନ କରିଥାନ୍ତି । କେତେକ ଅଞ୍ଚଳରେ ଏହି ଦିନ ଘରର ଜ୍ୱାଇଁମାନଙ୍କୁ ମଧ୍ୟ ବିଭିନ୍ନ ପ୍ରକାରର ଉପହାର ଦିଆଯାଇଥାଏ ।
କୁମାର ପୂର୍ଣ୍ଣିମାରେ ରାଶି ଆନୁସାରେ କରନ୍ତୁ ଏହି ବିଧିବିଧାନର ପାଳନ :-
- ମେଷ :- ଚାଉଳକୁ କ୍ଷୀରରେ ଧୋଇ ନଈ ବା ପୋଖରୀରେ ପକାନ୍ତୁ | ଛୋଟ ଛୋଟ ଝିଅମାନଙ୍କୁ କ୍ଷୀର ଖୁଆନ୍ତୁ |
- ବୃଷ :-ମନ୍ଦିରରେ ଦହି ଓ ଘିଅ ପ୍ରଦାନ କରନ୍ତୁ |
- ମିଥୁନ :-କ୍ଷୀର ଓ ଚାଉଳ ଦାନ କରନ୍ତୁ |
- କର୍କଟ :-କ୍ଷୀରରେ ମିଶ୍ରି ପକାଇ ମନ୍ଦିରରେ ଦାନ କରନ୍ତୁ |
- ସିଂହ :-ମନ୍ଦିରକୁ ଗୁଡ଼ ଦାନ କରନ୍ତୁ |
- କନ୍ୟା :-3ରୁ ଦଶ ବର୍ଷର ଝିଅଙ୍କୁ ଭୋଜନ ସହିତ କ୍ଷୀର ଖୁଆନ୍ତୁ |
- ତୁଳା :-ମନ୍ଦିରକୁ କ୍ଷୀର,ଚାଉଳ ଓ ଘିଅ ଦାନ କରନ୍ତୁ |
- ବିଛା :-କ୍ଷୀର ଓ ସମ୍ଭବ ହେଲେ ରୂପା ପ୍ରଭୁତି ଦାନ କରନ୍ତି |
- ଧନୁ :-ବୁଟଡାଲିକୁ ହଳଦିଆ ରଙ୍ଗର କନାରେ ରଖି ମନ୍ଦିରରେ ଦାନ କରନ୍ତୁ |
- ମକର :-ନଦୀ ବା ଝରଣାରେ ଚାଉଳ ପ୍ରବାହ କରନ୍ତୁ |
- କୁମ୍ଭ :-ଦୃଷ୍ଟିହୀନଙ୍କୁ ଭୋଜନ ଦାନ କରନ୍ତୁ |
- ମୀନ :-ବ୍ରାହ୍ମଣ ଭୋଜନ କରାନ୍ତୁ |


0 Comments
Do you have any doubts or suggestions? Ask them here in the comments!