ଅଂଶୁଘାତର କାରଣ ଓ ନିରାକରଣ

ଅଂଶୁଘାତର କାରଣ ଓ ନିରାକରଣ

 

Image Source -  Odia Portal

ବିଭିନ୍ନ ପରିବେଶଗତ କାରଣ ଯୋଗୁଁ ପୃଥିବୀର ତାପମାତ୍ରା ଦିନ କୁ ଦିନ ବୃଦ୍ଧି ପାଉଛି ଏବଂ ତାସହିତ ଖାପ ଖୁଆଇବା ଆମ ଶରୀର ପାଇଁ କାଠିକର ପାଠ ହୋଇପଡ଼ିଛି। ପ୍ରତିବର୍ଷ ସୂର୍ଯ୍ୟଙ୍କର ତାପମାତ୍ରା ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ଆଜିର ଦିନରେ ଅଂଶୁଘାତ ଏକ ପ୍ରମୁଖ ସମସ୍ୟା ହୋଇଯାଇଛି। ତେବେ ସାମାନ୍ୟ ସତର୍କତା, ସଚେତନତା ଅଂଶୁଘାତରୁ ନିଜକୁ ସୁରକ୍ଷା ଦେଇପାରିବ |  ସୂର୍ଯ୍ୟତାପ କେତେ ଅଧିକ ହେଲେ ଶରୀର ପାଇଁ ସଙ୍କଟ କିମ୍ବା ଅଂଶୁଘାତର  ସମ୍ଭାବନା ରହିଛି | ତାହା ସହିତ ଜାଣିବା ଅଂଶୁଘାତର କାରଣ ଓ ନିରାକରଣ।

ମନୁଷ୍ୟ ଶରୀରର ସାଧାରଣ ତାପମାତ୍ରା ସାଧାରଣତଃ 97.5 ଡିଗ୍ରୀରୁ 99.5 ଡିଗ୍ରୀ ଫାରେନହିଟ ରହିଥାଏ। କିନ୍ତୁ ଶରୀରର ତାପମାତ୍ରାଠାରୁ ପରିବେଶ ତାପମାତ୍ରା  ବେଶି ହେଲେ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ | ତେଣୁ ଦେହରୁ ଝାଳ ବାହାରି ଶରୀର ତାପମାତ୍ରା କମ୍‌ କରିବାକୁ ଚେଷ୍ଟା କରିଥାଏ | 

ଯେତେବେଳେ ବାୟୁମଣ୍ତଳର ତାପମାତ୍ରା ପାୟ 38.9ଡିଗ୍ରୀରୁ ବେଶି ହୁଏ, ଆମ ଦେହରୁ ପ୍ରବଳ ଝାଳ ବାହାରେ ଓ ତାସହିତ ଶରୀରର ଜଳୀୟ ଅଂଶ, ଲବଣ ଅଂଶ ହ୍ରାସ ପାଏ ଆମକୁ ଦୁର୍ବଳ ଲାଗେ, ଥକାମାରି ବସିଯିବାକୁ ଇଚ୍ଛା ହୁଏ | ଏହି ସମୟରେ ଯଦି ଆମେ କିଛି ପାଣି ବା ଫଳରସ ପିଇ ନେବା ତାହାହେଲେ ଆମକୁ ଆରାମ ଲାଗେ।

କିନ୍ତୁ ଯେତେବେଳେ ତାପମାତ୍ରା 41ଡ଼ିଗ୍ରୀ ସେଲସିୟସ୍‌ ଅତିକ୍ରମ କରେ
ସେତେବେଳେ ଅଂଶୁଘାତର ପ୍ରାରମ୍ଭିକ ଲକ୍ଷଣ ସବୁ ଦେଖାଯାଏ | ଏହି ସମୟରେ ଆମ ଦେହର ତାପ ନିୟନ୍ତ୍ରଣକାରୀ ପ୍ରକ୍ରିୟା ଠିକ୍‌ ଭାବରେ କାମ କରେନାହିଁ। ଶରୀରର ତାପମାତ୍ରା ପରିବେଶ ତାପମାତ୍ରା ଅନୁସାରେ ବଢିଚାଲେ। ଏହା ହେଉଛି ଶରୀର ପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବାର ସମୟ | 

ବାହ୍ୟ ତାପମାତ୍ରା 43.3 ଡ଼ିଗ୍ରୀ ଅତିକ୍ରମ କଲାପରେ, ଅଂଶୁଘାତର ସମସ୍ତ 
ଲକ୍ଷଣ ଦେଖାଯାଏ | ଏହି ସମୟରେ ଶରୀରର ନିଜସ୍ୱ ତାପ ନିୟନ୍ତ୍ରଣ ପ୍ରକିୟା ଆଦୌ କାମ କରେନାହିଁ ଓ ଝାଳ ବାହାରିବା ବନ୍ଦ ହୋଇଯାଏ | ଚର୍ମ, ଆଖି, ନାକ, ପାଟି ଶୁଖିଯାଏ | ମୁଣ୍ତ ବୁଲାଏ, ରୋଗୀ ପ୍ରଳାପ କରେ ଚେତାଶୂନ୍ୟ ହୋଇଯାଏ। ବାତ ମାରିବା ସମ୍ଭାବନା ମଧ୍ୟ ଥାଏ। ଉପଯୁକ୍ତ ଚିକିତ୍ସା ନକଲେ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ।

ତେବେ ଆଜିର ବ୍ୟସ୍ତବହୁଳ ଜୀବନରେ ଅଂଶୁଘାତ ଭୟରେ କାମ ନକରି ଘରେ ବସି ରହିବାକୁ ଆପଣ ପସନ୍ଦ କରିବେନି | ଏବେ ଆସନ୍ତୁ ଜାଣିବା ଅଂଶୁଘାତର ପ୍ରତିଷେଧକ ଓ ଚିକିତ୍ସା ଓ ପନ୍ଥା 

-ଯଦି ଖରାରେ କୁଆଡ଼େ ବାହାରୁଛନ୍ତି ତେବେ ଖରା ବଢ଼ିବା ଆଗରୁ ବାହାରନ୍ତୁ |

-ଟାଣ ଖରାରେ ବାହାରକୁ ବାହାରିବା କଠିନ ପରିଶ୍ରମ କରିବା ଜୀବନ ପ୍ରତି ବିପଦ ହୋଇଥାଏ |  

-ଜରୁରୀ କାମରେ ବାହାରକୁ ଗଲେ ମୁଣ୍ଡରେ ଓଦା ଗାମୁଛା, ଛତା,ଚପଲ ଓ କଳା ଚଷମା ବ୍ୟବହାର କରନ୍ତୁ |     

-ବାଇକରେ ଯାଉଥିଲେ ମୁଣ୍ଡରେ ଟୋପି, ହେଲମେଟ ପିନ୍ଧନ୍ତୁ | 

-ଖରାଦିନେ ହାଲକା ରଂଗର ସୁତା ପୋଷାକ ପିନ୍ଧିବା ନିହାତି ଦରକାର |

-ସାଂଗରେ ପାଣିବୋତଲ ନିଶ୍ଚୟ ନିଅନ୍ତୁ, ଲେମ୍ଭୁପାଣି, ଦହିପାଣି ବିନେଇପାରିବେ |

-ନିୟମିତ ବ୍ୟବଧାନରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ  |

-ଯାତ୍ରା  ମଝି ମଝିରେ ଛାଇ ଦେଖି କିଛି ସମୟ ଅଟକନ୍ତୁ, ପାଣି,ଫଳରସ କିମ୍ବା ଆଖୁରସ ପିଅନ୍ତୁ |

ଦିନକୁ ଦିନ ବଢୁଥିବା ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହରୁ ନିଜେ ସୁସ୍ଥ ରହିବା ସହ ଅନ୍ୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରନ୍ତୁ। ଅଂଶୁଘାତ ହେଉଛି ଖରାଦିନର ପ୍ରମୁଖ ଶାରୀରିକ ସମସ୍ୟା | ତେବେ ଅଂଶୁଘାତରେ ଅସୁସ୍ଥ ହୋଇପଡିଥିବା ବ୍ୟକ୍ତିକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯିବା ଉଚିତ୍‌ । 

ମାତ୍ର ଏହା ପୂର୍ବରୁ ଅଂଶୁଘାତର ପ୍ରାଥମିକ ଚିକିତ୍ସା ବିଷୟରେ ଜାଣି ରଖନ୍ତୁ ।

1. ଅଂଶୁଘାତରେ ଅସୁସ୍ଥ ବା ଅଚେତ ହୋଇପଡିଥିବା ବ୍ୟକ୍ତିକୁ ପ୍ରଥମେ ଏକ ଛାଇ ବା ଥଣ୍ଡା ସ୍ଥାନକୁ ନେଇ ଶୁଆଇ ଦିଅନ୍ତୁ । 

2. ଏପରି ସ୍ଥଳେ ଶୀତଳ ପବନର ବ୍ୟବସ୍ଥା କରିବା ଆବଶ୍ୟକ

3. ରୋଗୀ ଯଦି ମୋଟା ପୋଷାକ ପିନ୍ଧିଥାଏ ତେବେ ସୂତା ତଥା ଆରାମଦାୟକ ପୋଷାକ ପିନ୍ଧାଇ ଦିଅନ୍ତୁ । 

4. ଏହାପରେ ଓଦା କନାରେ ବ୍ୟକ୍ତିଙ୍କ ଶରୀରକୁ ପୋଛାପୋଛି କରି ଆରାମ ଦେବାକୁ ଚେଷ୍ଟା କରନ୍ତୁ  |

5. ତା' ସହ ଥଣ୍ତା ପାଣି ବା ବରଫ ଖଣ୍ତମାନ ରୋଗୀ ଶରୀରରେ ମାଲିସ୍‌ କଲେ ତାପମାତ୍ରା ସାଧାରଣ ସ୍ତରକୁ ଆସିଯାଇଥାଏ |

6. ବ୍ୟକ୍ତିକୁ କୌଣସି ତରଳ ପଦାର୍ଥ ପିଇବାକୁ ଦିଅନ୍ତୁ ନାହିଁ । 

7. ରୋଗୀର ପାଦ ଓ ହାତକୁ ଏପଟ ସେପଟ କରନ୍ତୁ । ଏହା ଦ୍ୱାରା ରକ୍ତ ସଂଚାଳନ ଠିକ ରହିବ |

8. ବ୍ୟକ୍ତି ଜଣକ ଯଦି ଅଂଶୁଘାତରେ ସାମାନ୍ୟ ସୁସ୍ଥ ଅନୁଭବ କରୁଥାନ୍ତି ବା ପାଣି ପିଇପାରିବା ଅବସ୍ତାରେଥାନ୍ତି ତେବେ ତାଙ୍କୁ ଥଣ୍ତା ପାଣି ବଦଳରେ ପାଣିରେ ଅଳ୍ପ ପରିମାଣର ଚିନି ଓ ଲୁଣ ମିଶାଇ ନହେଲେ ଓ .ଆର.ଏସ ଦ୍ରବଣ ପିଇବାକୁ ଦେବେ |

9 .ମଧୁମେହ,ରକ୍ତଚାପ ତଥା ହୃଦ ସମ୍ବନ୍ଧୀୟ ସମସ୍ୟା ଭୋଗ କରୁଥିବା ବ୍ୟକ୍ତି ଅଂଶୁଘାତ ପ୍ରତି ବିଶେଷ ସର୍ତକତା ଅବଲମ୍ବନ କରିବା ଆବଶ୍ୟକ |


Post a Comment

0 Comments