ପଣା ସଂକ୍ରାନ୍ତି କିପରି କରିବେ ପାଳନ
ପଣା ସଂକ୍ରାନ୍ତିକୁ ଓଡ଼ିଆ ନୂଆ ବର୍ଷ ଭାବରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଅଶ୍ୱିନୀ ନକ୍ଷତ୍ର ମେଷ ରାଶିକୁ ଗତି କରିଥାନ୍ତି | ଏହି ଦିନଠାରୁ ବସନ୍ତ ରୁତୁର ଶେଷ ଓ ଗ୍ରୀଷ୍ମର ଆରମ୍ଭ ହୋଇଥାଏ । ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ । ସେହିଭଳି ଜ୍ୟୋତିଷ ଗଣନା ଅନୁଯାୟୀ ଏହି ଦିନକୁ ମେଷ ସଂକ୍ରାନ୍ତି ବୋଲି କୁହାଯାଏ। ଏହିଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି।ହିନ୍ଦୁ ପରମ୍ପରା ଅନୁସାରେ ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥବା ନୂଆ ପଞ୍ଜିକା ଏହିଦିନ ଠାରୁ ପ୍ରଚଳିତ ହୋଇଥାଏ | ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ ।
ପୁରାଣ ଅନୁଯାୟୀ, ମହାବିଷୁବ ସଂକ୍ରାନ୍ତି ବେଶ ଗୁରୁତ୍ୱପୂର୍ଣ୍ଣ । ଏହିଦିନ ଜଳବାୟୁରେ ଏକ ପରିବର୍ତ୍ତନ ହୋଇଥାଏ । ସୂର୍ଯ୍ୟ ମଧ୍ଯଭାଗକୁ ଚାଲି ଆସିଥାନ୍ତି। ଏହିଦିନ ସୂର୍ଯ୍ୟ ବିଶୁବରେଖାରେ ଅବସ୍ଥାନ କରିଥାନ୍ତି। ସୂର୍ଯ୍ୟଙ୍କ ପ୍ରବଳ ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ପ୍ରିୟ ତୁଳସୀ ମୂଳରେ ପଣା ଅର୍ପଣ କରାଯାଇଥାଏ ଘରେ ଏଥିପାଇଁ ଛତୁଆ, କଦଳୀ, ନଡ଼ିଆ, ଛେନା, ଆମ୍ବ ଆଦିରେ ସ୍ଵତନ୍ତ୍ର ପଣା ପ୍ରସ୍ତୁତ କରାଯାଇଥାଏ।
- ଏହି ଦିନ ଏକ ଛୋଟ ମାଠିଆରେ ପଣା ରଖି ଚଉଁରା ମୂଳରେ ବାନ୍ଧି ଦିଆଯାଏ।
- ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ।
- ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ ।
- ଓଡ଼ିଆ ପରିବାରରେ ଦେବଦେବୀଙ୍କଠାରେ ସ୍ୱତନ୍ତ୍ର ପୂଜା, ଭୋଗ, ହୋମ ଆଦି କରାଯାଇଥାଏ।
- ଏହି ସମୟରେ ସୂର୍ଯ୍ୟ କିରଣ ବୃଦ୍ଧି ପାଇବା ସହ ହଜମ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଗରିଷ୍ଠ ଖାଦ୍ୟ ହଜମ ହେଉଥିବାରୁ ବୁଟଛତୁ ପରି ଗରିଷ୍ଠ ଖାଦ୍ୟପଦାର୍ଥ ଗ୍ରହଣ ପାଇଁ ଆୟୋଜନ ଥାଏ ।
- ଦେହର ଅତ୍ୟଧିକ ତାପ ଶକ୍ତି ସମ ଅବସ୍ଥାକୁ ଆଣିବା ପାଇଁ ପଣାପାନର ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ମହାବିଷୁବ ସଂକ୍ରାନ୍ତି ଦିନରେ ବିଭିନ୍ନ ଦେବଦେବୀ ମନ୍ଦିରମାନଙ୍କରେ ଛତୁ ଓ ପଣା ଭୋଗର ବିଧି ରହିଛି ।
- ଏହି ଦିନ ପଡ଼ିଶା, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ଦିଆଯାଏ। ତେଣୁ ଏହି ଦିନକୁ ପଣାସଂକ୍ରାନ୍ତି ବୋଲି ମଧ୍ୟ କହାଯାଏ।
- ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।
- ଏହା ସହିତ ବୃକ୍ଷମୁଳରେ ଜଳଦାନର ପ୍ରଥା ଆମ ସମାଜରେ ପ୍ରଚଳିତ ।
- ସେଥିପାଇଁ ହିନ୍ଦୁ ପରିବାରରେ ଏକ ମାସ ପର୍ଯ୍ୟନ୍ତ ଚଉଁରାରେ ପୁଜା ପାଉଥିବା ତୁଳସୀ ବୃକ୍ଷ ଉପରେ ଛାମୁଡ଼ିଆ କରି ଘଡ଼ିରେ ଜଳ ରଖି ତାର ନିମ୍ନ ଅଂଶରେ ସରୁ କଣାକରି ସୂକ୍ଷ୍ମ ଧାରରେ ଜଳଦାନ କରାଯାଇଥାଏ ।
- ପଣାସଂକ୍ରାନ୍ତିଠାରୁ ରାସ୍ତାକଡ଼ରେ ପଥିକମାନଙ୍କର ତୃଷ୍ଣା ନିବାରଣ ପାଇଁ ଜଳଛତ୍ରମାନ ଖୋଲାଯାଏ ।
- ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷଜଗତ ଏବଂ ଜୀବଜଗତକୁ ଜଳ ପ୍ରଦାନ କରାଯାଉଥିବାରୁ ଏହି ସଂକ୍ରାନ୍ତିର ଅନ୍ୟ ନାମ ଜଳସଂକ୍ରାନ୍ତି ବୋଲି କହିଥାନ୍ତି।
- ଏହି ସଂକ୍ରାନ୍ତି ପରଠାରୁ ବାୟୁର ଗତି ମଧ୍ୟ ପ୍ରଖର ହୁଏ । ଉଭୟ ଅଗ୍ନି ଓ ବାୟୁଙ୍କ ପ୍ରକୋପରୁ ରକ୍ଷାପାଇବା ପାଇଁ ଏହି ସମୟରେ ହନୁମାନ ଜୟନ୍ତି ପାଳନ କରାଯାଏ । ଏହି ଦିନର ଆଉ ଏକ ବିଶେଷତ୍ୱ ହେଉଛି ଏହି ଦିନ ପ୍ରଭୁ ହନୁମାନ ଜନ୍ମ ହୋଇଥିଲେ।
- ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀହନୁମାନ ଶକ୍ତି, ସାହସ ଓ ସାମର୍ଥ୍ୟର ପ୍ରତୀକ । ଶକ୍ତି ବୃଦ୍ଧି ପାଇଁ ଚଣା, ଗୁଡ ଓ ବେସନ ପ୍ରସ୍ତୁତ ଲଡୁ ହନୁମାନଙ୍କ ପାଖରେ ଭୋଗ ଲାଗେ । ସେପଟେ ଶ୍ରଦ୍ଧାଳୁ ଆଜି ଦିନରେ ଉପବାସରେ ରହି ନିଷ୍ଠାପର ଭାବେ ଶ୍ରୀବଜରଙ୍ଗୀଙ୍କ ଆରାଧନା କରିଥାନ୍ତି ।
ଶିକ୍ଷା
- ଏହିଦିନ ପବିତ୍ର ଝାମୁ ବ୍ରତର ଉଦ୍ଯାପନ କରାଯାଏ । ଯେଉଁମାନେ ଏହି ବ୍ରତ ପାଳନ କରନ୍ତି ତାଙ୍କୁ ପାଟୁଆ ବୋଲି କୁହାଯାଏ ।
- ବ୍ରତ ଉଦ୍ଯାପନ ଦିନ ବ୍ରତଧାରୀ କଣ୍ଟା ବା ଜଳନ୍ତା ଅଗ୍ନିରେ ଚାଲନ୍ତି । ଓଡ଼ିଶାର ଅନେକ ଅଞ୍ଚଳରେ ଏହି ବ୍ରତ ଉପଲକ୍ଷେ ଯାତ୍ରା ହୁଏ ଏହାକୁ ଝାମୁ ବା ପାଟୁଆ ଯାତ୍ରା କହନ୍ତି ।
- ବ୍ରତଧାରୀମାନେ ସମାଜକୁ କଠୋର ତାପ ସହ୍ୟ କରିବାର ଶକ୍ତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥାନ୍ତି ।

.jpg)
0 Comments
Do you have any doubts or suggestions? Ask them here in the comments!