ଦଶ ମହାବିଦ୍ୟା
ଦଶମହାବିଦ୍ୟା ସୃଷ୍ଟିର ଆରମ୍ଭରୁ ଭକ୍ତମାନଙ୍କୁ ସଂକଟରୁ ଉଦ୍ଧାର କରି ଆସୁଛନ୍ତି | ମାତାଙ୍କର ଆଶୀର୍ବାଦ ଏବଂ ସାନ୍ନିଧ୍ୟ ପ୍ରାପ୍ତି ନିମନ୍ତେ ଆମକୁ ନିୟମନିଷ୍ଠ ହୋଇ ନିରନ୍ତର ତାଙ୍କର ଉପାସନା କରିବାକୁ ପଡିବ | ଜାତଗଜନନୀ ମାତା ଦୁର୍ଗାଙ୍କ ସ୍ମରଣ,ଧ୍ୟାନ ଓ ପୂଜନ ଆମକୁ ଏହି ସଂସାରରୁ ଅସାରତା ବୋଧ କରାଇବା ସହିତ ବାସ୍ତବିକ ପରମ ଶାନ୍ତିଦାୟକ ଅମୃତପାଦ ଆଡକୁ ନେଇ ଯାଇପାରିବ |
ତନ୍ତ୍ରଶାସ୍ତ୍ରରେ ଦଶ ମହାଶକ୍ତି- କାଳୀ,ତାରା, ତ୍ରିପୁରାସୁନ୍ଦରୀ,ଭୁବନେଶ୍ଵରୀ,ତ୍ରିପୁରାଭୈରଵୀ ଛିନ୍ନମସ୍ତା, ଧୂମାବତୀ,ବଗଳାମୁଖୀ, ମାତଙ୍ଗୀ,କମଳାତ୍ମିକାଙ୍କୁ ଦଶମହାବିଦ୍ୟା ନାମରେ ଦର୍ଶାଯାଇଛି |
ପୂର୍ବ ଜନ୍ମରେ ମାତା ଦକ୍ଷକନ୍ୟା ଭାବରେ ଦକ୍ଷଯଜ୍ଞରେ ଅପମାନିତ ହୋଇ ନିଜର ସାକ୍ଷତ ସ୍ୱରୂପକୁ ଜଣାଇବା ନିମନ୍ତେ ଦଶ ରୂପରେ ପରିଗଣିତ |
-> ଦଶ ମହାବିଦ୍ୟାର ପ୍ରଥମ ଶକ୍ତି ହେଉଛନ୍ତି କାଳର ସ୍ୱରୂପ କାଳୀ | ଶବାରୁଢା ଭୟଙ୍କର ମୂର୍ତ୍ତି ବିଶିଷ୍ଠ। ମା' କିନ୍ତୁ ଶାନ୍ତି ପ୍ରଦାୟିନୀ |
-> ଦ୍ଵିତୀୟ ସ୍ୱରୂପ- ଶୂନ୍ୟ ସ୍ୱରୂପା, ଶ୍ୟାମବର୍ଣ୍ଣା, ତ୍ରିନୟନା, ପଦ୍ମ ଓ ପୁସ୍ତକ ଧାରି ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମାତା ତାରା |
-> ତୃତୀୟ ଶକ୍ତି ପୂର୍ଣ୍ଣତାର ପ୍ରତୀକ ଷୋଡ଼ଶୀ ଚତୁର୍ଭୁଜା,ପଦ୍ମାସନା 'ଷୋଡ଼ଶୀ' ମାତା ମଧ୍ୟ ତ୍ରିପୁରାସୁନ୍ଦରୀ ରୂପରେ ଖ୍ୟାତ |
-> ଚତୁର୍ଥ ଶକ୍ତି ହେଉଛନ୍ତି ଚତୁର୍ଭୁଜା, ଜଗତର ଆଧାର ଶ୍ୟାମାଙ୍ଗୀ ଭୁବନେଶ୍ୱରୀ |
-> ପଞ୍ଚମ ଶକ୍ତି ହେଉଛନ୍ତି ମୃତ୍ୟୁ ମୁଖକୁ ଟାଣି ନେଉଥିବା ଇଛା ଓ ପ୍ରବୃତ୍ତିର ପ୍ରତୀକ ତ୍ରିପୁରଭୈରବୀ। ମାତା ଅର୍ଦ୍ଧ ପଦ୍ମାସୀନା, ଚତୁର୍ଭୂଜା ଓ ମୁଣ୍ଡମାଳା ଶୋଭିତା।
-> ଷଷ୍ଠ ଶକ୍ତି ଛିନ୍ନମସ୍ତା। ନିଜର ମସ୍ତକକୁ ହାତରେ ଧରି ରୁଧିର ପାନ କରୁଥିବା ମାତା ସୃଷ୍ଟି ଓ ପ୍ରଳୟ ପୁଣି ସୃଷ୍ଟିର ପ୍ରବହମାନ ଧାରା ପ୍ରତୀକ।
-> ସପ୍ତମ ଶକ୍ତି ସଂସାର ରୂପକ ଦାବାନଳର ପ୍ରତୀକ ମାତା ଧୂମାବତୀ। ସେ ମଧ୍ୟ ଅଲକ୍ଷ୍ମୀ ରୂପେ ପରିଚିତା। ମାତା ଧୂମାବତୀ ଦ୍ଵିଭୁଜା, ସ୍ୟନ୍ଦନ ପରେ ଉପବେଶିତା, କ୍ଷୁଧିତ ଦେହା, ରୁଷ୍ଟା, ବିବର୍ଣ୍ଣା ,ମଳିନବେଶା, ବିମୁକ୍ତ କୁନ୍ତଳା, ବିଧବା ଓ କଳହ ପ୍ରିୟା ଅଟନ୍ତି ।
-> ମାତାଙ୍କର ଅଷ୍ଟମ ଶକ୍ତି କନକବର୍ଣ୍ଣା , ବୀତବସ୍ତ୍ରାବୃତା, ଦ୍ୱିଦ୍ଭୁଜା, ରତ୍ନସିଂହାସନସ୍ଥିତା ମାତା ବଗଳାମୁଖୀ। ସେ ହେଉଛନ୍ତି ମନୁଷ୍ୟର ଆସୁରିକ ପ୍ରବୃତ୍ତି ଯଥା-ଘୃଣା, ଦ୍ୱେଷ, କ୍ରୁରତା, ପରଶ୍ରୀକାତରତାର ପ୍ରତୀକ |
-> ନବମ ଶକ୍ତି ହେଉଛନ୍ତି ଶ୍ୟାମାଙ୍ଗୀ,ତ୍ରିନୟନା,ରତ୍ନସିଂହାସନସ୍ଥିତା,ପଦ୍ମାସନା ଓ ଚତୁର୍ଭୁଜା 'ମାତାଙ୍ଗୀ' |
-> ଏବଂ ଦଶ ମହାବିଦ୍ୟାର ଅନ୍ତିମ ଶକ୍ତି ହେଉଛନ୍ତି କମଳ ଶୁଦ୍ଧ ଆତ୍ମଜ୍ଞାନର ପ୍ରତୀକ ଲକ୍ଷ୍ମୀ ସ୍ୱରୂପ କମଳାତ୍ମିକା |
ଭକ୍ତର ଅଭୀଷ୍ଟ ସିଦ୍ଧି ନିମନ୍ତେ ମାତାଙ୍କର ଏହି ଦଶଟି ରୂପ ରହିଛି। ନବଗ୍ରହଙ୍କର ଇଷ୍ଟ ରୂପରେ ମାତାଙ୍କର ଏଥିରୁ ନଅଟି ରୂପ ପୂଜିତ ହୁଅନ୍ତି। ଦଶ ମହାବିଦ୍ୟାଙ୍କ ମଧ୍ୟରୁ କେତୋଟି ରୂପ ମନରେ ଭକ୍ତି ସଞ୍ଚାର କରୁଥିବା ବେଳେ ଆଉ କେତୋଟି ରୂପ ଭୀତି ସଞ୍ଚାର କରିଥାଏ।
0 Comments
Do you have any doubts or suggestions? Ask them here in the comments!