ପବିତ୍ର ଅଁଳା ନବମୀରେ , ରାଧାଙ୍କ ପାଦ ଦର୍ଶନରେ ମହତ୍ତ୍ୱ

ପବିତ୍ର ଅଁଳା ନବମୀରେ, ରାଧାଙ୍କ ପାଦ ଦର୍ଶନରେ ମହତ୍ତ୍ୱ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀକୁ ଅଁଳା ନବମୀ ଭାବରେ ଜଣାଯାଇଥାଏ । ଅଅଁଳା ନବମୀକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ । ଏହା ପ୍ରକୃତିକୁ କୃତଜ୍ଞତା ଜ୍ଞାପନ କରିବା ଭାରତୀୟ ସଂସ୍କୃତିର ପର୍ବ ଅଟେ । କାର୍ତ୍ତିକ ମାସ ଏକ ପୁଣ୍ୟ ମାସ ହୋଇଥିବାରୁ ମାସ ତମାମ ପୂଜାର୍ଚ୍ଚନା କରାଯାଏ । ପବିତ୍ର କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥି । ଏହି ପବିତ୍ର ତିଥିକୁ ଅଁଳାନବମୀ ଭାବେ ପୂଜା କରିବାର ପରମ୍ପରା ରହିଛି । 

  1. ପୁଣ୍ୟାଦି କେବେହେଲେ କ୍ଷୟ ହୁଏନାହିଁ ବା ଅକ୍ଷୟ ରହିଥାଏ, ତେଣୁ ଏହାକୁ “ଅକ୍ଷୟ ନବମୀ” ବୋଲି ମଧ୍ୟ କୁହାଯାଏ । ଏହି “ଅକ୍ଷୟ ନବମୀ”, “ଅକ୍ଷୟ ତୃତୀୟା” ତିଥୀ ଭଳି ପବିତ୍ର ଓ ମହତ୍ୱପୂର୍ଣ୍ଣ । “ଅକ୍ଷୟ ତୃତୀୟା” ତିଥିରେ ତ୍ରେତା ବା ତ୍ରେତୟା ଯୁଗର ଆରମ୍ଭ ହୋଇଥିବା ବେଳେ “ଅକ୍ଷୟ ନବମୀ” ତିଥିରେ ସତ୍ୟ ଯୁଗର ଆରମ୍ଭ ହୋଇଥିଲା ବୋଲି ବିଶ୍ୱାସ ରହିଛି ।
  2. ହିନ୍ଦୁ ଧର୍ମର ପୁରାଣ ଅନୁସାରେ ମା ଲକ୍ଷ୍ମୀ , ଏ ଧରା ପୃଷ୍ଠରେ ରାଧାଙ୍କ ଅବତାର ଧାରଣ କରି ଜନ୍ମ ନେଇଥିଲେ | ମାତା ଲକ୍ଷ୍ମୀ ଏହା ପ୍ରତିଜ୍ଞା ବଦ୍ଧ ଥିଲେ ଯେ ସେ ତାଙ୍କର ସମସ୍ତ ଅବତାରରେ ଭଗବାନ ବିଷ୍ଣୁଙ୍କ ସହ ହିଁ ବିବାହ କରିବେ | ତେଣୁ ଏହି କଥାକୁ ନେଇକି ଅନେକ ଲୋକଙ୍କ ମନରେ ଏହା ମଧ୍ୟ ଉଙ୍କି ମାରେ କି ବୋଧ ହୁଏ ସେ ସମୟରେ ରାଧା ଓ କୃଷ୍ଣଙ୍କ ପ୍ରେମ ପରେ ଦୁହିଙ୍କ ବିବାହ ହେଇଥିବ |
  3. ଗର୍ଗ ସଂହିତା ଅନୁସାରେ କୃଷ୍ଣ ବାଲ୍ୟକାଳ ରେ ନନ୍ଦ ବାବାଙ୍କ କୋଳରେ ଖେଳନ୍ତି | ସେ ସମୟରେ ତାଙ୍କୁ ଗୋଟେ ଅଭୁତ ଶକ୍ତିର ଆବାସ ହେଇଥିଲା , ସେ ଶକ୍ତି ଆଉ କେହି ନୁହନ୍ତି ରାଧା ହିଁ ଥିଲେ |ପୌରାଣିକ କଥା ଅନୁସାରେ ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ରାଧା ଓ ରୁକୁଣୀ ଜଣେ ହିଁ ଥିଲେ | ଏହା ହିଁ ହେଉଛି ରାଧା ଓ କୃଷ୍ଣ ଙ୍କ ର ପ୍ରେମର ପ୍ରକୃତ କଥା |

ରାଧାଙ୍କ ପାଦ ଦର୍ଶନରେ ମହତ୍ତ୍ୱ

  1. ବର୍ଷସାରା ମା’ ଶ୍ରୀରାଧା ଦେବୀଙ୍କ ପାଦ ଲୁଗାରେ ଘୋଡ଼ାଇ ହୋଇ ରହିଥିଲାବେଳେ କାର୍ତ୍ତିକ ମାସ ଅଁଳା ନବମୀ ତିଥିରେ ମା’ଙ୍କ ପାଦ ଦର୍ଶନ କରିବାର ସୁଯୋଗ ପାଇଥାନ୍ତି ଭକ୍ତ
  2.  ଶ୍ରୀରାଧା କେବଳ ବର୍ଷର ଏହି ଗୋଟିଏ ଦିନ ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । 
  3. ଭକ୍ତମାନେ ଶ୍ରୀପୟର ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ସେପଟେ ଅଁଳାଗଛରେ ବ୍ରତବାନ୍ଧି ନିଜ ସ୍ୱାମୀ ଓ ପରିବାରର ସୁଖଶାନ୍ତି କାମନା କରୁଛନ୍ତି ମହିଳା ।
  4. ଶଙ୍ଖ ହୁଳହୁଳିରେ ହାତରେ ନଡ଼ିଆ, ତୁଳସୀ, କ୍ଷୀର, କଦଳୀ ଦୀପ , ଧୂପ ସହ ଅଁଳା ଧରି ମନ୍ଦିରକୁ ପ୍ରବେଶ କରୁଥାନ୍ତି ଭକ୍ତ ।
  5. ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରିଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଣ୍ଟିଆ ଆଦି ଲାଗି ହୋଇଥାଏ ଶ୍ରୀରାଧାଙ୍କୁ ।
  6. ଏହି ଦିନରେ ଅଅଁଳା ଗଛକୁ ପୂଜା କରି ପରିବାରର ଆରୋଗ୍ୟତା ଏବଂ ସୁଖ-ସମୃଦ୍ଧି କାମନା କରାଯାଇଥାଏ । 
  7. କୁହାଯାଏ ଯେ ଏହି ଦିନରେ କରାଯାଇଥିବା ତପ, ଜପ, ଦାନ ଇତ୍ୟାଦି ବ୍ୟକ୍ତିଙ୍କୁ ସମସ୍ତ ପାପରୁ ମୁକ୍ତି କରିଥାଏ । ଏହା ସହିତ ସମସ୍ତ ମନଷ୍କାମନା ପୁର୍ଣ୍ଣ ହୋଇଥାଏ ବୋଲି ମଧ୍ୟ କୁହାଯାଏ ।
  8. ଏହି ଦିନରେ ଶ୍ରୀରାଧାଙ୍କ ପାଦ ଦର୍ଶନ କଲେ କୋଟି ଜନ୍ମର ଫଳ ମିଳେ ବୋଲି ବିଶ୍ୱାସ ରହିଛି ।
  9. ଏହି ତିଥିରେ ଦାନ-ପୁଣ୍ୟାଦି କର୍ମ କଲେ ସୌଭାଗ୍ୟ ଅର୍ଜିତ ହୁଏ ବୋଲି ବିଶ୍ୱାସ ରହିଛି । ଏହି “ଅଁଳା ନବମୀ” ତିଥିରେ କରାଯାଇଥିବା ମା’ ଙ୍କ ଦର୍ଶନରେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।
  10. କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀରେ ଅଁଳା ଗଛର ପୂଜା କରାଯାଏ । ଏହି ଦିନ ଅଁଳା ଗଛ ତଳେ ପୂଜା କରିବା ଏବଂ ଭୋଜନ କରିବା ଦ୍ୱାରା ରୋଗ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି ।
  11. ମହିଳାମାନେ ସନ୍ତାନ ପ୍ରାପ୍ତି ଏବଂ ସନ୍ତାନଙ୍କ ମଙ୍ଗଳ କାମନା କରି ଅଁଳା ଗଛର ପୂଜା କରିଥାନ୍ତି ।
  12. ଶ୍ରଦ୍ଧାଳୁମାନେ ଆଜି ଅଁଳା ଗଛ ମୂଳରେ ପୂଜାର୍ଚ୍ଚନା କରିବା ସହ ଗଛରେ ନିଜ ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରିବା ସହ ପରିବାରର ଶୁଭ ମନାସୀ ଶଙ୍ଖା, ସିନ୍ଦୁର ବାନ୍ଧିଥାନ୍ତି ।

ଏହି ଧର୍ମୀୟ ବିଶ୍ୱାସ ସବୁ ପ୍ରକୃତରେ ପୂରଣ ହୁଏ କି ନାହିଁ, ତାହା ବ୍ୟକ୍ତିଗତ ଅନୁଭବର କଥା, ତେବେ ଏତିକି ଜୋର ଦେଇ କହିହେବ ଯେ “ଅଁଳା ନବମୀ” ତିଥିଟି ପ୍ରକୃତିକୁ ପୂଜା କରିବାକୁ, ପ୍ରକୃତିକୁ ଭଲ ପାଇବାକୁ ତଥା ପ୍ରକୃତିକୁ କୃତଜ୍ଞତା ଜଣାଇବା ପାଇଁ ଏକ ସୁବର୍ଣ୍ଣ ଅବସର ଯାହାକୁକି କେହି ହାତଛଡା କରିବା ଉଚିତ ନୁହେଁ ।

Post a Comment

0 Comments