ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀର ମହତ୍ତ୍ୱ
ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ଏହି ବିଜୟା ଏକାଦଶୀ ବ୍ରତ କଲେ ମଣିଷ ଶତ୍ରୁକୁ ବିଜୟ କରିପାରେ । ଗୋଟିଏ ଦିନ ଫାଲୁଗନ ମାସ କୃଷ୍ଣ ପକ୍ଷ ଏକାଦଶୀରେ ମହାପ୍ରଭୁଙ୍କର ଲିଙ୍ଗ ଦର୍ଶନ ହୁଏ । ବର୍ଷକେ ଥରେ କେବଳ ପଙ୍କୋଦ୍ଧାର ଏକାଦଶୀ ଦିନ ଶ୍ରୀଲୋକନାଥଙ୍କ ଖୋଲା ଦର୍ଶନ ମିଳିଥାଏ । ଭାରତ ବର୍ଷରେ ଏହି ଗୋଟିଏ ଶୈବ କ୍ଷେତ୍ର ଯେଉଁଠି ଏହି ପଙ୍କୋଦ୍ଧାର ଏକାଦଶୀ ପାଳନ କରାଯାଏ । ବିଶ୍ୱାସ ଅଛି ଏହି ପଙ୍କ ଦେହରେ ଲାଗିଲେ ନାନା ସମସ୍ୟା ଓ ପାପରୁ ମୁକ୍ତି ମିଳିଥାଏ । ପାଦ ଠାରୁ ମସ୍ତକ ଯାଏଁ ମହାପ୍ରଭୁଙ୍କର ପଙ୍କ ଦେଖିବାକୁ ମିଳେ ।
ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀର କିମ୍ବଦନ୍ତୀ
ପୁରାଣର ବର୍ଣ୍ଣନା ଅନୁସାରେ, ଏକଦା ଯୁଧିଷ୍ଠିର ଶ୍ରୀକୃଷ୍ଣଙ୍କୁ ପଚାରିଥିଲେ, “ଏମିତିରେ ତ ସବୁ ଏକାଦଶୀ ପାପନାଶିନୀ ଓ ପୁଣ୍ୟଦାୟିନୀ, କିନ୍ତୁ ଫାଲଗୁନ କୃଷ୍ଣପକ୍ଷ ଏକାଦଶୀକୁ ‘ବିଜୟା ଏକାଦଶୀ’ କାହିଁକି କହନ୍ତି? ଏହାର ମହତ୍ତ୍ୱ କ’ଣ? ଯୁଧିଷ୍ଠିରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀକୃଷ୍ଣ ତାଙ୍କୁ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କର ଏକ କଥା ଶୁଣାଇଥିଲେ।
ହନୁମାନଙ୍କଠାରୁ ସୀତାଙ୍କର ସନ୍ଧାନ ପାଇ ରାମଚନ୍ଦ୍ର ତାଙ୍କୁ ଉଦ୍ଧାର କରିବାପାଇଁ ଲଙ୍କାଯାତ୍ରାର ଆୟୋଜନ କଲେ। କିନ୍ତୁ ସମୁଦ୍ର କୂଳରେ ପହଞ୍ଚି କିପରି ଏ ବିଶାଳ ସମୁଦ୍ର ଲଙ୍ଘନ କରିବେ, ଭାବି ପାରିଲେ ନାହିଁ। ଲକ୍ଷ୍ମଣଙ୍କ ପରାମର୍ଶରେ ନିକଟବର୍ତ୍ତୀ କୁମାରୀ ଦ୍ୱୀପର ଘଞ୍ଚ ଅରଣ୍ୟ ମଧ୍ୟରେ ତପସ୍ୟା କରୁଥିବା ବକଦାଲଭ୍ୟ ମୁନିଙ୍କ ପାଖରେ ସେ ପହଞ୍ଚିଲେ। ଶ୍ରୀରାମଚନ୍ଦ୍ର ସ୍ୱୟଂ ପରଂବ୍ରହ୍ମ, ଏହା ଜାଣି ମଧ୍ୟ ମୁନି ମାନବରୂପୀ ରାମଚନ୍ଦ୍ରଙ୍କୁ ଫାଲଗୁନ କୃଷ୍ଣପକ୍ଷ ଏକାଦଶୀ ବ୍ରତ ପାଳନ କରିବାକୁ ଉପଦେଶ ଦେଲେ। ସେ କହିଲେ, “ନିଷ୍ଠାର ସହିତ ଏହି ବ୍ରତ ପାଳନ କଲେ ଆପଣ ଅକ୍ଳେଶରେ ସମୁଦ୍ର ଲଂଘନ କରିବାକୁ ସମର୍ଥ ହେବେ ଏବଂ ରାବଣ ଉପରେ ବିଜୟ ପ୍ରାପ୍ତ ହୋଇ ସୀତାଙ୍କୁ ଉଦ୍ଧାର କରିବେ।” ମୁନିଙ୍କ କଥା ମାନି ରାମଚନ୍ଦ୍ର ଏହି ବ୍ରତପାଳନ କଲେ ଏବଂ ସମୁଦ୍ରରେ ବନ୍ଧ ବାନ୍ଧିବା ସହିତ ରାବଣ ଉପରେ ବିଜୟ ଲାଭ କଲେ। ତେଣୁ ଏହାର ନାମ ‘ବିଜୟା ଏକାଦଶୀ’।
କଥିତ ଅଛି, ରାମଙ୍କଦ୍ୱାରା ପ୍ରତିଷ୍ଠିତ ଲାଉକେଶ୍ୱର, ଲୋକେଶ୍ୱର ବା ଲୋକନାଥ ଶ୍ରୀକ୍ଷେତ୍ରରେ ପ୍ରତିଷ୍ଠିତ। ଯେଉଁ ଦିନ ରାମଚନ୍ଦ୍ର ଏହି ଲିଙ୍ଗ ପ୍ରତିଷ୍ଠା କରିଥିଲେ, ସେ ଦିନ ଥିଲା ଫାଲ୍ଗୁନ କୃଷ୍ଣ ଏକାଦଶୀ। ଏହି ଲିଙ୍ଗରୁ ଅହରହ ଗଙ୍ଗା ପ୍ରବାହିତ ହେଉଥାନ୍ତି। କିନ୍ତୁ ବର୍ଷ ସାରା ଫୁଲ, ବେଲ ପତ୍ର, ଛାଞ୍ଚି, କ୍ଷୀର, କଦଳୀ ଦେବ ଦେବ ମହାଦେବଙ୍କ ମସ୍ତକରେ ରହିଥାଏ । ଆଜି ଏହାକୁ ଉଦ୍ଧାର କରାଯାଏ । ଏକାଦଶୀ ଦିନ ସେସବୁର ଅପସାରଣ କରାଯାଇ ସାଧାରଣ ଭକ୍ତଙ୍କ ନିମିତ୍ତ ଲିଙ୍ଗ ଓ ଗଙ୍ଗାଙ୍କର ଦର୍ଶନ ଲାଭର ସୁଯୋଗ ସୃଷ୍ଟି ହୁଏ। ତେଣୁ ବହୁ ଭକ୍ତ ଏହି ଏକାଦଶୀକୁ ନିଷ୍ଠାର ସହିତ ପାଳନ କରି ଶିବ ଓ ଗଙ୍ଗାଙ୍କର ଦର୍ଶନ କରିଥାନ୍ତି । ମାନସିକଧାରୀମାନେ ଲାଗି କରିଥିବା ବିଭିନ୍ନ ରୂପ ବାହାର କରିଥିଲେ । ପଙ୍କୋଦ୍ଧାର କରାଯାଇ ପାର୍ବତୀ ସାଗର ସଂଲଗ୍ନ କୁଣ୍ଡରେ ପକାଯାଇଥିଲା ।
ପଙ୍କୋଦ୍ଧାର ଏକାଦଶୀ ବ୍ରତର ବିଧି
- ଫଗୁଣ ମାସ କୃଷ୍ଣ ପକ୍ଷ ଏକାଦଶୀକୁ ଓଡ଼ିଶାରେ ପଙ୍କୋଦ୍ଧାର ବା ବିଜୟା ଏକାଦଶୀ କୁହାଯାଏ । ଏହି ଏକାଦଶୀ ବ୍ରତ
- ପାଳନ କରୁଥୁବା ବ୍ୟକ୍ତି ଏହି ଏକାଦଶୀର ପ୍ରଭାବ ଦ୍ବାରା ବିଭିନ୍ନ କାର୍ଯ୍ୟରେ ବିଜୟ ଲାଭ କରିଥାଏ ।
- ଏହି ଏକାଦଶୀରେ ଭଗବାନ ଶ୍ରୀ ହରିଙ୍କୁ ପୂଜା କରାଯିବା ସହ କିଛି ନୀତି ଓ ନିୟମ ପାଳନ କରିବାକୁ ହୋଇଥାଏ । ଅନ୍ୟ ଏକାଦଶୀଠାରୁ ଏହି ବ୍ରତର ବିଧି ସାମାନ୍ୟ ଭିନ୍ନ।
- ଏହି ବ୍ରତ ରଖିବାକୁ ଚାହୁଁଥିବା ବ୍ୟକ୍ତି ଏକାଦଶୀ ପୂର୍ବଦିନ ଅର୍ଥାତ ଦଶମୀ ଦିନ ସ୍ବର୍ଣ୍ଣ, ରୌପ୍ୟ, ତାମ୍ର କିମ୍ବା ମୃତ୍ତିକାରେ ତିଆରି ପାତ୍ରଟିଏ ତିଆରି କରନ୍ତୁ ।
- ବିଧି ଅନୁସାରେ, ଦଶମୀ ଦିନ ଏକ ବେଦୀ ଉପରେ ଜଳଘଟଟିଏ ସ୍ଥାପନ କରିବାକୁ ହୁଏ ।
- ଏକବେଦୀ ପ୍ରସ୍ତୃତ କରି ତାହା ଉପରେ ପଞ୍ଚ ପଲ୍ଲବ ରଖି ଉକ୍ତ ପାତ୍ରଟିକୁ ସ୍ଥାପନ କରିବା ପୂର୍ବକ ସେଥିରେ ଜଳ ପୂର୍ଣ୍ଣ କରନ୍ତୁ । ଏହା ପରେ ପାତ୍ରର ନିମ୍ନରେ ପଞ୍ଚଶସ୍ୟ ଓ ଉପରେ ଯବଧାନ ରଖନ୍ତୁ ।
- ଏହାପରେ ଶ୍ରୀ ହରିଙ୍କ ଏକ ସୁବର୍ଣ୍ଣ ମୂର୍ଭି ସ୍ଥାପନ କରି,ଏକାଦଶୀ ଦିନ ପ୍ରାତଃ ସ୍ନାନ ପରେ ଧୂପ,ଦୀପ, ଚନ୍ଦନ, ଫଳ, ନୈବେଦ୍ୟ,ତିଳ ଓ ପଞ୍ଚାମୃତ ଦ୍ୱାରା ପୂଜାର୍ଚ୍ଚନା କରିବା ସହ ଆରାଧନା କରାଯାଏ।
- ସାରା ଦିନ ଉକ୍ତ ସୁବର୍ଣ୍ଣର ମୂର୍ଭୀ ସମ୍ମୁଖରେ ବସି ରହି ଆରାଧନା କରିବେ ।
- ସଂପୂର୍ଣ୍ଣ ଦିନ ଓ ରାତି ଉପବାସ ଓ ଉଜାଗରରେ ରହି, ବିଷ୍ଣୁ ସହସ୍ରନାମ ପାଠ କରିବାକୁ ହୁଏ।
- ଏହି ଦିନ ଅନ୍ନଭୋଜନ ନିଷେଧ ହେବା ଆବଶ୍ୟକ ତଥା ଯଦି ସମ୍ଭବ ତେବେ ରାତିରେ ଉପବାସ ରହିବା ସହ ଜାଗ୍ରତ ରହିବା ବିଧେୟ । ଦ୍ବାଦଶୀ ଦିନ ଉକ୍ତ ଜଳପୂର୍ଣ୍ଣ ପାତ୍ରଟିକୁ ଜଣେ ନୈଷ୍ଠିକ ବ୍ରାହ୍ମଣଙ୍କୁ ଦାନରେ ଦେବେ ।
- ଏହିପରି ନିୟମ ଓ ନିଷ୍ଠାର ସହ ଏହି ପଙ୍କୋଦ୍ଧାର ବା ବିଜୟା ଏକାଦଶୀ ପାଳନ କରିଲେ ସମସ୍ତ କାର୍ଯ୍ୟରେ ସଫଳତା ବା ବିଜୟଲାଭ ମିଳିଥାଏ ।
- ଏହିପରି ବ୍ରତପାଳନ କଲେ ମନୁଷ୍ୟ ତା’ର ସମସ୍ତ ଶତ୍ରୁ- ଅର୍ଥାତ୍ ଶରୀର ମଧ୍ୟସ୍ଥ ଷଡ଼ରିପୁ ଏବଂ ବାହ୍ୟ ଅନିଷ୍ଟକାରୀ ଶତ୍ରୁ- ଉଭୟଙ୍କ ଉପରେ ବିଜୟ ପ୍ରାପ୍ତ ହୋଇଥାଏ।
- ଆଉ ଗୋଟିେ ଦିନ ପରେ ପାଳିତ ହେବ ଦେବଦେବ ମହାଦେବଙ୍କ ଜାଗର ଯାତ୍ରା । ଆଉ ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ବାବା ଲୋକନାଥଙ୍କ ପୀଠରେ ଆଜି ପାଳିତ ହେଉଛି ପଙ୍କୋଦ୍ଧାର ଏକାଦଶୀ । ବର୍ଷକ ମଧ୍ୟରେ ଆଜିଠାରୁ 3 ଦିନ ପ୍ରଭୁ ଦର୍ଶନ ଦେବାର ପରମ୍ପରା ରହିଛି ।
ଶମ୍ଭୁ ଏକାଦଶୀ କ'ଣ ?
ସୋମବାରରେ ଯଦି ଏକାଦଶୀ ତିଥି ପଡ଼େ, ତେବେ ତାକୁ ଶମ୍ଭୁ ଏକାଦଶୀ କହନ୍ତି । ଏହି ଦିନ ଶ୍ରୀଲୋକନାଥ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଆସନ୍ତି । ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ମଧ୍ୟ ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ଲୋକନାଥଙ୍କୁ ପାଛୋଟି ଆଣିବାକୁ ବାହାରିଯାଆନ୍ତି । ମଝି ରାସ୍ତାରେ ଦୁଇଙ୍କର ଭେଟ ହୁଏ । ଲୋକନାଥ ଶ୍ରୀଜଗନ୍ନାଥଙ୍କୁ ପାଛୋଟି ନିଅନ୍ତି ନିଜ ମନ୍ଦିରକୁ । ଉଭୟଙ୍କ ମଣୋହି ହୁଏ ଏବଂ ଶ୍ରୀଜଗନ୍ନାଥଙ୍କୁ ସାଦର ବିଦାୟ ଦିଅନ୍ତି ଲୋକନାଥ । ଶ୍ରୀଲୋକନାଥ ଚନ୍ଦନ ଯାତ୍ରାରେ ସାମିଲ ହୋଇ ପବିତ୍ର ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ସହ ଜଳକ୍ରୀଡ଼ା କରିଥାନ୍ତି ।
ରଥ ବାହୁଡ଼ା ଯାତ୍ରା ଦୋଳୋତ୍ସବ, ଦଶହରା ସମୟରେ ସୋମବାରରେ ଏକାଦଶୀ ତିଥି ପଡ଼ିଲେ ଶମ୍ଭୁ ଏକାଦଶୀ ପାଳନ କରାଯାଇ ନଥାଏ । କିନ୍ତୁ ଦୀର୍ଘବର୍ଷ ହେବ ଶମ୍ଭୁ ଏକାଦଶୀ ହୋଇପାରୁ ନାହିଁ । ସେହିପରି ଶିବ ଚତୁର୍ଦ୍ଦଶୀ ଦିନ ଲୋକନାଥ ମନ୍ଦିରରେ ସମନ୍ବୟାତ୍ମକ ନୀତି ହୋଇଥାଏ ।
ଏହି ଦିନ ଭୁଲରେ ବି କରନ୍ତୁନି ଏସବୁ କାର୍ଯ୍ୟ
- ଏକାଦଶୀରେ ମନକୁ କୌଣସି ନକାରାତ୍ମକ ଚିନ୍ତା ଆଣନ୍ତୁ ନାହିଁ।
- କ୍ରୋଧ ପରିତ୍ୟାଗ କରନ୍ତୁ।
- ଏହି ଦିନ ଭଗବାନଙ୍କୁ ସ୍ମରଣ କରନ୍ତୁ ଓ ଉପାସନା କରନ୍ତୁ।
- ଆମିଷ ଭକ୍ଷଣ କରନ୍ତୁ ନାହିଁ।
- ମିଛ କୁହନ୍ତୁ ନାହିଁ।

0 Comments
Do you have any doubts or suggestions? Ask them here in the comments!