କରୋନାକୁ ନେଇ କିଛି ପ୍ରଶ୍ନ ମନରେ ଥିଲେ ଏହାକୁ ନିଶ୍ଚିତ ପଢ଼ନ୍ତୁ
କରୋନା ଏକ ମାରାତ୍ମକ ରୋଗ। ଏହା ସମସ୍ତେ ହୃଦୟଙ୍ଗମ କରି ସାରିଲେଣି। କରୋନାକୁ ନେଇ ଯେତେ ଚର୍ଚ୍ଚା କଲେ ସରୁନି । ନା କମୁଛି ଏହାର ଭୟ, ନା କମୁଛି ରୂପାନ୍ତରିତ ରୂପରେଖ । ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । କେତେବେଳେ ଏହା କେଉଁ ଷ୍ଟ୍ରେନ୍ ର ରୂପ ନେଇ ଆସିବ, ତାହା କହି ହେବନି । ପ୍ରତିଥର ଭୂତାଣୁର ନୂଆ ନୂଆ ମ୍ୟୁଟାଣ୍ଡ ଆସୁଛି । ତେବେ କେମିତି ଜାଣିବା କରୋନା ଆରମ୍ଭ ହେଉଛି ? ଅମ୍ଳଜାନ ସ୍ତର କେତେ ଖସୁଛି । ଏ ବିଷୟରେ କ’ଣ କହୁଛନ୍ତି ବିଶେଷଜ୍ଞ ?
1. କେମିତି ଜାଣିବା କରୋନା ଆରମ୍ଭ ହେଉଛି ?
- ପ୍ରଥମେ ଦେହ ହାତ ବିନ୍ଧାବିନ୍ଧି ହେବା ସହ ଜ୍ଵର ଆରମ୍ଭ ହୋଇଥାଏ। ଏହି ସ୍ଥିତିରେ ୨/୩ ଦିନ ପରେ କରୋନା ପରୀକ୍ଷା କରାଇ ନିଅନ୍ତୁ।
- କିନ୍ତୁ କରୋନାର ପଜିଟିଭ୍ ରିପୋର୍ଟ ଆସିବା ପରେ ଭୟଭୀତ କିମ୍ବା ବ୍ୟସ୍ତ ହେବା ଅନାବଶ୍ୟକ। ୪/୫ ଦିନ ପରେ ଶ୍ଵାସପ୍ରଶ୍ଵାସ ନେବାରେ ଅସୁବିଧା ଦେଖା ଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ଆବଶ୍ୟକ । କାରଣ ଏହି ସମୟରେ ଶରୀରରେ ଅମ୍ଳଜାନ ସ୍ତର କମିଚାଲେ ।
2. ସବୁ କରୋନା ଆକ୍ରାନ୍ତଙ୍କଠାରେ ଅମ୍ଳଜାନ ସ୍ତର କମିଥାଏ କି ?
- ନା, କରୋନାରେ ଆକ୍ରାନ୍ତଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ସିଭିୟର ସ୍ଥିତିରେ ପହଞ୍ଚୁଥିବା ବେଳେ ଆଉ ୯୦ ପ୍ରତିଶତଙ୍କ କ୍ଷେତ୍ରରେ ଏହା ସାଧାରଣ ଫ୍ଲୁ ଭାବେ ଦେଖା ଦେଇଥାଏ। ତେଣୁ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ । ମାତ୍ରାଧିକ ଆକ୍ରାନ୍ତ ହେଉଥିବା ୧୦ ପ୍ରତିଶତ ରୋଗୀଙ୍କ ମଧ୍ୟରୁ ପ୍ରାୟତଃ କିଛି ନା କିଛି କ୍ରୋନିକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।
- ଯେପରିକି ମଧୁମେହ, ଉଚ୍ଚ ରକ୍ତଚାପ ଓ ହୃଦ୍ଘାତ ଆଦିରେ ପୀଡିତ ରହିଥାନ୍ତି। ପ୍ରାୟ ଏମାନଙ୍କ କ୍ଷେତ୍ରରେ ହିଁ କରୋନା ସିଭିୟର୍ ହୋଇଥାଏ।
- ଦ୍ଵିତୀୟ ଲହରିରେ କରେନା ଭୂତାଣୁ ପୂର୍ବପେକ୍ଷା ଅଧିକ ଶକ୍ତିଶାଳୀ ହୋଇପଡିଛି । ଯାହାକି ଖୁବ୍ ଶୀଘ୍ର ଫୁସ୍ଫୁସ୍କୁ ଆକ୍ରମଣ କରିବାରେ ଲାଗିଛି। ଏବେ ଡବଲ୍ ଓ ଟ୍ରିପଲ୍ ମ୍ୟୁଟାଣ୍ଟ ଆସିସାରିଛି।
- ଆମମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେବା ପରେ କରୋନା ଭୂତାଣୁ ନିଜକୁ ଆହୁରି ଶକ୍ତିଶାଳୀ କରିସାରିଛି ।
3. କେମିତି ଜାଣିବା ଆମ ଶରୀରରୁ ଅମ୍ଳଜାନସ୍ତର କମୁଛି ?
- ପ୍ରଥମେ ନିଃଶ୍ବାସପ୍ରଶ୍ଵାସ ନେବାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏପରିକି ଧଇଁସଇଁ ହେବା ଆରମ୍ଭ କରିବେ ।
- ବୟସ୍କମାନେ ଶୀଘ୍ର ଜାଣିପାରୁଥିବା ବେଳେ କମ୍ ବୟସ୍କଙ୍କ କ୍ଷେତ୍ରରେ ତାହା ସାମାନ୍ୟ ବିଳମ୍ବରେ ଦେଖା ଦେଇଥାଏ ।
- କିନ୍ତୁ ଏବେ ପ୍ରାୟ ସମସ୍ତେ ଘରେ ପଲ୍ସ ଅକ୍ସିମିଟର ରଖୁଛନ୍ତି । ତେଣୁ ଏପରି କୌଣସି ସମସ୍ୟା ଦେଖା ଦେଲେ ତୁରନ୍ତ ନିଜର ଅମ୍ଳଜାନସ୍ତର ମାପି ନିଅନ୍ତୁ।
- ଅମ୍ଳଜାନସ୍ତର ଶତକଡା ୯୫ ପ୍ରତିଶତରୁ ଅଧିକ ରହିଥିଲେ। ଆପଣ ସୁସ୍ଥ ବୋଲି ଧରିନେବେ ।
- ଅମ୍ଳଜାନସ୍ତର ଯଦି ୯୪/୯୩ରୁ ତଳକୁ ଖସୁଥାଏ, ଆଉ ଆପଣ ଧଇଁସଇଁ ଅନୁଭବ କରୁଥାନ୍ତି । ତେବେ ବ୍ୟସ୍ତ ନ ହୋଇ କିଛି ସମୟ ପାଇଁ ଶୋଇପଡନ୍ତୁ ।
- ଏହି ସମୟରେ ଟିକେ ପେଟେଇ ଶୋଇ ପଡନ୍ତୁ। କିଛି ସମୟ ପରେ ପୁନର୍ବାର ଅମ୍ଳଜାନସ୍ତର ମାପନ୍ତୁ। ପେଟେଇ ଶୋଇବା ଦ୍ଵାରା ଆମ ଶରୀରରେ ୩/୪ ପ୍ରତିଶତ ଅମ୍ଳଜାନ ସ୍ତର ବଢିଥାଏ।
- ଏହା ପରେ ଯଦି ଅମ୍ଳଜାନସ୍ତର ଖସୁଥାଏ। ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରି ହସ୍ପିଟାଲ ଯିବା ଆବଶ୍ୟକ ।
4. କରୋନା ରୋଗୀ ଲକ୍ଷଣମୁକ୍ତ ହୋଇ ସୁସ୍ଥତା ଅନୁଭବ କଲାପରେ ବି ପୁନର୍ବାର ଟେଷ୍ଟ କଲେ ପଜିଟିଭ୍ ଆସୁଛି କାହିଁକି ?
- ସାଧାରଣତଃ ସଂକ୍ରମଣର ୧୦-୧୨ ଦିନ ପରେ ରୋଗୀ ଦେହରେ ସେ ଭୂତାଣୁ ଆଉ ବିଶେଷ ବଂଶ ବିସ୍ତାର କରେ ନାହିଁ । ତେଣୁ ଲକ୍ଷଣ କମି ସୁସ୍ଥତା ଅନୁଭୂତ ହୁଏ । ତେବେ ଭଲ ହୋଇଯିବାର କିଛିଦିନ ପର୍ଯ୍ୟନ୍ତ ଦେହରେ ଭୂତାଣୁର ଜିନୋମଗୁଡ଼ିକ ସୁପ୍ତ ଅବସ୍ଥାରେ ଥାଆନ୍ତି ।
- ସେଥିପାଇଁ ପୁନର୍ବାର ଟେଷ୍ଟ କଲେ ପଜିଟିଭ୍ ଆସିବାର ସମ୍ଭାବନା ଥାଏ । ଏହା ପୁନଃ ସଂକ୍ରମଣର ସୂଚନା ନୁହେଁ । ତେଣୁ ଭଲ ହୋଇଯାଇଥିବା ରୋଗୀ ଭୟଭୀତ ହେବା ଅନୁଚିତ।
5. କରୋନା ଭଲ ହୋଇଯିବା ପରେ ବି ତଣ୍ଟି ଦରଜ, କାଶ, କଫ, ମୁଣ୍ଡବିନ୍ଧା ଇତ୍ୟାଦି ଲାଗିରହୁଛି । ଏପରି କାହିଁକି ହେଉଛି?
ସବୁବେଳେ ଏସବୁ ଲକ୍ଷଣ କରୋନା ସଂକ୍ରମଣ ପାଇଁ ହୋଇ ନ ଥାଏ। ଅନେକ ସମୟରେ ଆଲର୍ଜିକ ରାଇନାଟିସ୍, ଫାରିଞ୍ଜାଇଟିସ୍, ଲାରିଞ୍ଜାଇଟିସ୍ ଏବଂ ଟନସିଲାଇଟିସ୍ ପରି ରୋଗରେ ମଧ୍ୟ ସମାନ ଲକ୍ଷଣ ଦେଖାଯାଏ । ତେଣୁ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇଲେ ଏସବୁ ରୋଗ ଶୀଘ୍ର ଭଲ ହୋଇଯାଏ।
6. ଭଲ ହେବା ପରେ କେଉଁମାନଙ୍କଠାରେ ସ୍ଵାସ୍ଥ୍ୟଜନିତ ଜଟିଳତା ଅଧିକ ଦେଖାଦେବାର ଆଶଙ୍କା ରହିଛି ?
- ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ଦୀର୍ଘଦିନ ହସ୍ପିଟାଲରେ ବା ଆଇସିୟୁରେ ଚିକିତ୍ସିତ ହୋଇଥିବେ ସେମାନେ ସୁସ୍ଥ ହୋଇ ଫେରିବା ପରେ ବି ମଧୁମେହ, ଫୁସ୍ଫୁସ୍ ଓ ଶ୍ଵାସନଳୀ ରୋଗ, ହୃଦ୍ରୋଗ, ମସ୍ତିଷ୍କାଘାତ ପରି ଗୁରୁତର ସ୍ୱାସ୍ଥ୍ୟ ଜଟିଳତାର ସମ୍ମୁଖୀନ ହେବାର ସମ୍ଭାବନା ଥାଏ।
- ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବାରୁ ସେମାନେ ଅନ୍ୟ ଯେକୌଣସି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ କରୋନାରୁ ସୁସ୍ଥ ହେବା ପରେ ବି ରୋଗୀମାନେ ଅଭିଜ୍ଞ ଡାକ୍ତରଙ୍କ ଚିକିତ୍ସାରେ ରହିବା ଦରକାର।
7. କରୋନା ପରେ କେଉଁମାନଙ୍କୁ କଳା କବକ ହେବାର ଆଶଙ୍କା ବେଶୀ ?
- କରୋନା ଆକ୍ରାନ୍ତ ଗୁରୁତର ରୋଗୀ ଅମ୍ଳଜାନ ମାସ୍କ ଲଗାଇ ବା ଆଇସିୟୁରେ ଚିକିତ୍ସିତ ହୋଇଥିଲେ ଓ ତାଙ୍କର ମଧୁମେହ, ବୃକକ୍ ରୋଗ, ହୃଦ୍ରୋଗ, କର୍କଟ ଇତ୍ୟାଦି ସହରୋଗ ଥିଲେ ଏବଂ ସେମାନେ ଦୀର୍ଘଦିନ ଧରି ଷ୍ଟିରଏଡ୍ ଖାଉଥିଲେ ସେମାନଙ୍କୁ କଳା କବକ ହେବାର ଆଶଙ୍କା ଥାଏ।
- ଏପରି ରୋଗୀଙ୍କ ଗାଲ, ମୁହଁ ଓ ଆଖି ଫୁଲିଲେ ଏବଂ ନାକରୁ ରକ୍ତମିଶା କଳା ପାଣି ବାହାରିଲେ ସେମାନେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ୍ ।
8. ଆରୋଗ୍ୟ ହୋଇଥିବା ରୋଗୀଙ୍କ ଖାଦ୍ୟ ପାନୀୟ ବ୍ୟବସ୍ଥା
ଏହି ସମୟରେ ଅଧିକ ପୃଷ୍ଟିସାର ଯୁକ୍ତ ଖାଦ୍ୟ, ଫଳ, କ୍ଷୀର, ପନିପରିବା ଖାଇବା ସହ ଯଥେଷ୍ଟ ପାଣି ପିଇବା ଆବଶ୍ୟକ । ଧୂମପାନ, ତମାଖୁ ସେବନ ଓ ମଦ୍ୟପାନଠାରୁ ଦୂରେଇ ରହିଲେ ରୋଗୀ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇଥା'ନ୍ତି।
9. କରୋନାରୁ ଭଲ ହେବା ପରେ ବି ଟିକା ନେବା ଦରକାର କି ?
ହଁ, କରୋନା ହେବା ପୂର୍ବରୁ ଯଦି ପ୍ରଥମ ପାନ ଟିକା ନେଇଥିବେ ତେବେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଦ୍ୱିତୀୟ ପାନ ଏବଂ ଟିକା ନେଇ ନ ଥିଲେ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ଦୁଇ ପାନ ଟିକା ନେବା ଜରୁରୀ ।
10. ଟିକା ନେବା ପରେ କରୋନା ହେବ କି ?
ଟିକା ନେବା ପରେ କରୋନା ହେବନି ବୋଲି କୁହାଯାଇପାରିବନି । ଅବଶ୍ୟ ଟିକା ନେଇଥିବା ବ୍ୟକ୍ତିମାନେ କରୋନାର ଭୟାବହତାରୁ ରକ୍ଷା ପାଇପାରିବେ । ଆକ୍ରାନ୍ତ ହୋଇପାରନ୍ତି କିନ୍ତୁ ସିଭିୟର୍ ହେବାର ଆଶଙ୍କା କମ୍ ରହିଥାଏ ।
11. ଥରେ କରୋନା ହୋଇଥିଲେ, ପୁନର୍ବାର ହେବ କି ?
ହଁ, ଥରେ ହୋଇଥିଲେ ଶରୀରରେ ଆଣ୍ଟିବଡି ବଢିଥିଲେ ମଧ୍ୟ ପୁନର୍ବାର କରୋନା ହେବାର ଆଶଙ୍କା ରହୁଛି । ତେଣୁ କରୋନାରୁ ରକ୍ଷା ପାଇବା ପାଇଁ ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ହିଁ ଆପଣାଇବାକୁ ପଡିବ।
12. କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ପ୍ରଥମ ଡୋଇ ନେବାର କେତେ ଦିନ ପରେ ଦ୍ଵିତୀୟ ଡୋଜ୍ ନେବା ଆବଶ୍ୟକ ?
- କୋଭାକ୍ସିନ୍ର ପ୍ରଥମ ଡୋଜ୍ ନେବାର ୨୮ରୁ ୪୪ ଦିନ ମଧ୍ୟରେ ଦ୍ଵିତୀୟ ଡୋଜ୍ ନେବା ଜରୁରି।
- କୋଭିସିଲ୍ଡର ପ୍ରଥମ ଡୋଜ୍ ନେବାର ୬ରୁ ୮ ସପ୍ତାହ ମଧ୍ୟରେ ଦ୍ବିତୀୟ ଡୋଜ୍ ନେବା ଉଚିତ୍।
13. ଟିକାକୁ ନେଇ ଟଣାଓଟରା ଚାଲିଛି । ଏହି ସ୍ଥିତିରେ ପ୍ରଥମ ଡୋଜ୍ ଯଦି କୋଭାକ୍ସିନ ଟିକା ନିଆଯାଇଛି, ତେବେ ଦ୍ଵିତୀୟ ଡୋଜ୍ କୋଭିସିଲ୍ଡ ନିଆଯାଇପାରିବ କି ?
- ନା, ପ୍ରଥମ ଡୋଜ୍ ଯାହା ନେଇଛନ୍ତି, ଦ୍ୱିତୀୟ ଡୋଜ୍ ତାହା ହିଁ ନେବାକୁ ପଡିବ।
- ସାମାନ୍ୟ ବିଳମ୍ବ କରି ନିର୍ଦ୍ଧାରିତ ସମୟ ଭିତରେ ଦ୍ଵିତୀୟ ଡୋଜ୍ ନେବାକୁ ଚେଷ୍ଟା କରନ୍ତୁ ।
- ଯଦି ଟିକା ନେବାରେ ସାମାନ୍ୟ ବିଳମ୍ବ ହୋଇଯାଏ, ତେବେ କୌଣସି ସମସ୍ୟା ନାହିଁ ।
14. ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ପରେ କିମ୍ବା ୪୪ ଦିନ ଭିତରେ ଦ୍ବିତୀୟ ଡୋଜ୍ ଟିକ୍ ନେବାକୁ କୁହାଯାଉଛି । ତେବେ ଯଦି କେହି ବ୍ୟକ୍ତି ପ୍ରଥମ ଟିକା ନେବାର ୪୫ ଦିନ ଭିତରେ କୌଣସି କାରଣରୁ ଦ୍ଵିତୀୟ ଟିକା ନେଇ ନପାରନ୍ତି । ତେବେ ତାଙ୍କୁ ପୁର୍ନବାର ପ୍ରଥମ ଡୋଜ୍ ନେବାକୁ ପଡିବ କି ?
- ନା, କୋଭିସିଲ୍ଡ କ୍ଷେତ୍ରରେ ଯଦି ପ୍ରଥମ ଡୋଜ୍ ଟିକା ନେବା ପରେ କୌଣସି କାରଣରୁ ଦ୍ୱିତୀୟ ଡୋଜ୍ ମିଳିପାରୁ ନାହିଁ, ତେବେ ୩ ମାସ ଭିତରେ ମଧ୍ୟ ନେଇପାରିବେ ।
- ସର୍ଭେରୁ ଜଣାପଡିଛି ଯେ ଯେତେ ଡେରିରେ ନେବେ ସେତେ ଭଲ। କିନ୍ତୁ ନିର୍ଦ୍ଧାରିତ ସମୟସୀମା ଭିତରେ ।
- କୋଭିସିଲ୍ଡ ପାଇଁ ପ୍ରଥମ ଡୋଜ ନେବାର ୨୮ରୁ ୪୪ ଦିନ ଭିତରେ ସମୟସୀମା ରହିଛି ।
15. କୋଭାକ୍ସିନ ଓ କୋଭିସିଲ୍ଡ ମଧ୍ୟରୁ କେଉଁଟା ବେଶି ଭଲ ?
ଗବେଷଣାରୁ ମିଳିଥିବା ତଥ୍ୟ ଅନୁସାରେ କୋଭାକ୍ସିନ ୮୧ ପ୍ରତିଶତ କାମ କରୁଥିବା ବେଳେ କୋଭିସିଲ୍ଡ ୭୦ ପ୍ରତିଶତ କାମ କରିଥାଏ ।
16. ଟିକା ନେବା ପରେ ଶରୀରରେ କେବେଠାରୁ ଆଣ୍ଟିବଡି ସୃଷ୍ଟି ହୋଇଥାଏ ?
- କୋଭିସିଲ୍ଡ କ୍ଷେତ୍ରରେ ମିଳିଥିବା ତଥ୍ୟ ଅନୁସାରେ ପ୍ରଥମ ଡୋଜ ଟିକା ନେବାର ୨୧ ଦିନ ପରେ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ ।ଫଳରେ ବ୍ୟକ୍ତିର ଶରୀର ସିଭିୟର ସଂକ୍ରମଣକୁ ରୋକିବାରେ ସମର୍ଥ ହୋଇପାରିବ । ଆଉ ଏହି ସୁରକ୍ଷା ବଳୟ ସେହି ବ୍ୟକ୍ତି ପାଖରେ ୯୦ ଦିନ ଯାଏ ରହିଥାଏ ।
- କୋଭାକ୍ସିନ କ୍ଷେତ୍ରରେ କୌଣସି ତଥ୍ୟ ମିଳିନାହିଁ । କିନ୍ତୁ ଏହା ସତ୍ତ୍ବେ ବି ଉଭୟ ଟିକାର ଦ୍ଵିତୀୟ ଡୋଜ୍ ନେବାର ୧୪ ଦିନ ପରେ ଯେକୌଣସି ବ୍ୟକ୍ତିଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟିବଡି ତାଙ୍କ ପାଇଁ ଏକ ସୁରକ୍ଷା ବଳୟ ତିଆରି କରିପାରିବ ।
17. କରୋନା ପୀଡିତ ସୁସ୍ଥ ହେବା ପରେ ୧୫ ଦିନ ଖୁବ୍ ଯତ୍ନଶୀଳ ହେବା ପାଇଁ କୁହାଯାଉଛି । ଏହି ସମୟ କ’ଣ ରୋଗୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ କି ?
- ଏହି ସମୟରେ ଆରାମ ନେବା ଜରୁରି। କାରଣ ଏହି ସମୟରେ ଶରୀର କୋଭିଡ୍ ଯୋଗୁ ଦୁର୍ବଳ ହୋଇପଡ଼ିଥାଏ। ସାଙ୍ଗେ ସାଙ୍ଗେ ପୁର୍ନବାର କରୋନା ହେବାର ଆଶଙ୍କା କମ୍ ରହିଥାଏ। କିନ୍ତୁ ୫/୬ ମାସ ପରେ ଆଉ ଥରେ ହୋଇପାରେ ।
- ଦ୍ଵିତୀୟ ଲହରିରେ ଆସୁଥିବା ଡବଲ୍ ମ୍ୟୁଟାଣ୍ଡ ଖୁବ୍ କ୍ରିୟାଶୀଳ । ତେଣୁ ଟିକା ନେବା ପରେ ମଧ୍ୟ କରୋନା ହୋଇପାରେ ।
0 Comments
Do you have any doubts or suggestions? Ask them here in the comments!