ମଳମାସରେ କ'ଣ କରିବା ଉଚିତ ଓ ଅନୁଚିତ

ମଳମାସରେ କ'ଣ କରିବା ଉଚିତ ଓ ଅନୁଚିତ

ହିନ୍ଦୁ ଧର୍ମରେ ତିଥି ଏବଂ ମୂହୁର୍ତ୍ତର ବହୁତ ବଡ ମହତ୍ତ୍ୱ ରହିଛି। ହିନ୍ଦୁ ଧର୍ମରେ ପ୍ରତ୍ୟେକ ଶୁଭକାର୍ଯ୍ୟ ଶୁଭ ସମୟ ଦେଖି କରାଯାଏ। ମଳମାସକୁ ଅଧିକ ମାସ ଏବଂ ପୁରୁଷୋତ୍ତମ ମାସ ମଧ୍ୟ କୁହାଯାଏ। ମଳ ମାସ ବା ପୁରୁଷୋତ୍ତମ ମାସ ହେଉଛି ଚାନ୍ଦ୍ରମାସ ଓ ସୌରମାସ ମଧ୍ୟରେ ସାମ୍ୟ ରକ୍ଷା ପାଇଁ ପ୍ରତି ୩୨ମାସରେ ପଡୁଥିବା ଗୋଟିଏ ଅଧିମାସ । ମଳମାସରେ କୌଣସି ଶୁଭ ଏବଂ ନୂତନ କାର୍ଯ୍ୟ କରାଯାଏ ନାହିଁ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ମଳମାସ ପ୍ରତି ତିନି ବର୍ଷରେ ଥରେ ଆସିଥାଏ। 

ନାମକରଣ ଯଥାର୍ଥତା :-

ସୂର୍ଯ୍ୟଙ୍କୁ ଆଦିତ୍ୟ କୁହାଯାଏ । ଅଦିତିଙ୍କ ପୂତ୍ର ହୋଇଥିବାରୁ ଆଦିତ୍ୟ ଅଦିତିଙ୍କର ୧୨ ଶ୍ରେଷ୍ଠ ପୂତ୍ରଙ୍କୁ ଦ୍ୱାଦଶ ଆଦିତ୍ୟ କୁହାଯାଏ । ୧୨ଟି ରାଶିକୁ ସୂର୍ଯ୍ୟ ବା ଆଦିତ୍ୟଙ୍କ ସଂକ୍ରମଣ ଅନୁସାରେ ୧୨ଟି ସୌର ମାସ ହୁଏ ଏବଂ ପ୍ରତ୍ୟେକ ମାସର ଅଧିପତି ଜଣେ ଜଣେ ଆଦିତ୍ୟ ହୋଇଥାନ୍ତି କିନ୍ତୁ ମଳ ମାସ ଅସଂକ୍ରାନ୍ତି ମାସ ହୋଇଥିବାରୁ କୌଣସି ଆଦିତ୍ୟ ଏହାର ଅଧିପତି ହୋଇ ନଥାନ୍ତି ତେଣୁ ଏହି ମାସଟି ସ୍ୱୟଂ ବିଷ୍ଣୁ ବା ପୁରୁଷୋତ୍ତମ ଜଗନ୍ନାଥଙ୍କୁ ଉତ୍ସର୍ଗୀକୃତ । ପୁରୁଷୋତ୍ତମ ଜଗନ୍ନାଥ ହେଉଛନ୍ତି ଏହି ମାସର ଅଧିପତି ତେଣୁ ଏହାକୁ ପୁରୁଷୋତ୍ତମ ମାସ କୁହାଯାଏ ।

ମଳମାସରେ ଭଗବାନ ବିଷ୍ଣୁଙ୍କ ଉପାସନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ସମୟରେ ଚତୁର୍ମାସ ଚାଲିଅଛି। ଚତୁର୍ମାସରେ ଭଗବାନ ବିଷ୍ଣୁ ବିଶ୍ରାମ ନେବା ପାଇଁ ପାତାଳ ଲୋକକୁ ଚାଲି ଯାଆନ୍ତି। ଅଧିକ ମାସରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ। ବିଶ୍ୱାସ କରାଯାଏ ଯେ ଅଧିକ ମାସରେ ଦିଆଯାଇଥିବା ଦାନର ବହୁଗୁଣିତ ପୁଣ୍ୟ ପ୍ରାପ୍ତ ହୋଇଥାଏ।

ମଳ ମାସରେ ବିବାହ, ବ୍ରତ ଆଦି କୌଣସି ଶୁଭକାମ କରାଯାଏ ନାହିଁ କିନ୍ତୁ ଦାନ, ହୋମ, ଜପତପ, ଶାସ୍ତ୍ରାଦି ପଠନ, ବିଷ୍ଣୁ ସହସ୍ରନାମ ପାଠ, ଗୀତା, ଭାଗବତ, ବିଷ୍ଣୁ ପୁରାଣ ଆଦି ପାରାୟଣ ନିମନ୍ତେ ଏହି ମାସ ଉପଯୁକ୍ତ ଓ ପୂଣ୍ୟପ୍ରଦ ।

ମଳମାସରେ କ'ଣ କରିବା ଉଚିତ ଓ ଅନୁଚିତ :-

  • ପୁରୁଷୋତ୍ତମ ମାସରେ ଦିନରେ ଉପବାସ ଓ ରାତିରେ ସନ୍ଧ୍ୟାବେଳେ ଏକ ବକ୍ତ ଭୋଜନ କରିବା ଉଚିତ । 
  • ଏହି ସମୟରେ ହରଡ଼ ଡାଲି, ତେଲ, ଉଷୁନା ଚାଉଳ, ହଳଦୀ, ସାଧାରଣ ଲୁଣ, ମସଲା ଆଦି ଖାଇବା ନିଷେଦ୍ଧ । 
  • ମୁଗ ଡାଲି, କଦଳି, ଅରୁଆ ଚାଉଳ, ଘିଅ, ସନ୍ଧୈବ ଲବଣରେ ପ୍ରସ୍ତୁତ ହବିଷାନ୍ନ ପ୍ରଦୋଷ ସମୟରେ ଏକ ବକ୍ତ ଖାଇବା ଉଚିତ ।ଏହାକୁ ନକ୍ତବ୍ରତ କୁହନ୍ତି । 
  • ଦିନରେ ଉପବାସ ରହିବା ସମ୍ଭବ ନହେଲେ ଫଳରସ, ଦହି, କ୍ଷୀର, ପଇଡ଼, ଆଦି ଖାଇ ପାରିବେ । 
  • ବ୍ରତ ସମୟରେ ମୌନ ବ୍ରତ ପାଳନ କରିବେ । 
  • କିନ୍ତୁ ପୁରୁଷୋତ୍ତମଙ୍କ ନାମ, ଗୁଣ, ଲୀଳା କୀର୍ତ୍ତନ କରିବା, ତାଙ୍କ ଜୀବନ ଚରିତ ସମ୍ବନ୍ଧୀୟ ପୁସ୍ତକ ପଠନ, ତାଙ୍କ ଲୀଳା ଶ୍ରବଣରେ ମୌନବ୍ରତ ଭଙ୍ଗ ହୁଏନାହିଁ ।
  • ବ୍ରତ ସମୟରେ ପୂଜା ଘରେ ଅଖଣ୍ଡ ଘିଅ ଦୀପ ଜାଳିବା ଉଚିତ । ଭୂମି ଶଯ୍ୟାରେ ଶୟନ କରିବା ଉଚିତ ।

ଦାନ :-

  • ପୁରୁଷୋତ୍ତମ ମାସରେ ପୂଣ୍ୟ ଅର୍ଜନ ପାଇଁ ଦାନ କରାଯାଏ । 
  • ଦୀପଦାନ, ଅନ୍ନଦାନ, ଛତ୍ରଦାନ, ଶଯ୍ୟାଦାନ, ବିଷ୍ଣୁମୁର୍ତ୍ତି ଦାନ, ଗୋଦାନ, ପିତ୍ତଳ ପାତ୍ରରେ ତିଳଦାନ, ବସ୍ତ୍ରଦାନ, ଧର୍ମପୁସ୍ତକ ଦାନ ଇତ୍ୟାଦି |
  • ମୁଖ୍ୟ ଦାନ ଏବଂ ଦାନର ମୁଖ୍ୟ ଅଧିକାରୀ ହେଉଛନ୍ତି ବ୍ରାହ୍ମଣ, ଗୁରୁ, ଆଚାର୍ଯ୍ୟ କିମ୍ବା ଯେଉଁ ଦ୍ରବ୍ୟ ଯାହାର ବେଶୀ ପ୍ରୟୋଜନୀୟ (ଯଥା କ୍ଷୁଧାର୍ଥକୁ ଖାଦ୍ୟଦାନ, ବସ୍ତ୍ରହୀନକୁ ବସ୍ତ୍ରଦାନ ଇତ୍ୟାଦି)। 
  • ପୁରୁଷୋତ୍ତମ ମାସରେ ପଡୁଥିବା ଦ୍ୱାଦଶୀ, ଚତୁର୍ଦ୍ଦଶୀ, ଅଷ୍ଟମୀ, ଅମାବାସ୍ୟା, ପୂର୍ଣିମା ତିଥି ଏବଂ ବ୍ୟତିପାତ ଓ ବୈଧୃତି ଯୋଗ ବିଶିଷ୍ଟ ଦିନ ଦାନ ପାଇଁ ସର୍ବୋତ୍ତମ ।
  • ଯେଉଁମାନେ ସମ୍ପୁର୍ଣ୍ଣ ପୁରୁଷୋତ୍ତମ ମାସରେ ଦାନ, ହୋମ, ଜପ ଇତ୍ୟାଦି ପାଳନ କରିପାରିବେ ନାହିଁ, ସେମାନେ ଅନ୍ତତଃ ଅଷ୍ଟମୀ, ନବମୀ, ଦ୍ୱାଦଶୀ, ପୂର୍ଣ୍ଣିମା ତିଥିରେ ଏହା କରିବା ଉଚିତ । 

ଏହି କାମ କରିବା ନିଷେଧ :-

  • ମଳ ମାସ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପାଇଁ ଶୁଭ ହେଲେ ମଧ୍ୟ ଏହି ମାସରେ ବିବାହ, ବ୍ରତ, ଗୃହାରମ୍ଭ, ଗୃହପ୍ରତିଷ୍ଠା, କୂପତଡ଼ାଗାଦି ଖନନ ଓ ପ୍ରତିଷ୍ଠା, ଦେବ ବିଗ୍ରହ ପ୍ରତିଷ୍ଠା ଆଦି କରାଯାଏ ନାହିଁ  |
  • ଏହି ମାସରେ ନୂତନ ବ୍ୟବସାୟ କିମ୍ବା ନୂତନ କାର୍ଯ୍ୟ ଆରମ୍ଭ କରିବା ଉଚିତ ନୁହେଁ। ଏଥି ସହିତ ନୂତନ ସମ୍ପତ୍ତି କ୍ରୟ କରିବା ଉଚିତ ନୁହେଁ।
  • ଚତୁର୍ମାସ୍ୟା ଭିତରେ ମଳମାସ ପଡ଼ିଲେ ଚତୁର୍ମାସ୍ୟା ବ୍ରତଧାରୀମାନଙ୍କୁ ୫ ମାସ ଏହି ବ୍ରତ କରିବାକୁ ପଡ଼ିଥାଏ । 
  • ମଳମାସରେ ପ୍ରଥମ ଦେବଦର୍ଶନ ଓ ପ୍ରଥମ ଅପୂର୍ବ ତୀର୍ଥସ୍ନାନ କରଣୀୟ ନୁହେଁ । 
  • ଯେଉଁ ବର୍ଷ କ୍ଷୟମାସ ପଡ଼ିବ, ସେ ବର୍ଷ କ୍ଷୟମାସ ପୂର୍ବରୁ ଗୋଟିଏ ଅଧିମାସ ପଡ଼େ । ପ୍ରଥମଟିକୁ ସଂସର୍ପ ଓ ପରଟିକୁ ମଳମାସ (ଅହଂସ୍ପତି) କୁହାଯାଏ । 
  • ସଂସର୍ପ ମାସରେ ବିବାହ, ବ୍ରତ, ଲଣ୍ଡା,ଗୃହପ୍ରବେଶ ପ୍ରଭୃତି ପ୍ରଧାନ କର୍ମ ଛାଡ଼ି ଶ୍ରୁତି ଓ ସ୍ମୃତି ବିହିତ ସମସ୍ତ କର୍ମ ଶୁଦ୍ଧମାସ ପରି କରାଯାଇପାରିବ |
  • ଉକ୍ତ ମାସରେ ସାମ୍ବତ୍ସରିକ ତିଥି ଦୁଇଟି ମିଳୁଥିବାରୁ ଦୁଇଟି ତିଥିରେ ଦୁଇଗୋଟି ସାମ୍ବତ୍ସରିକ ଶ୍ରାଦ୍ଧ ହେବ । 

ଏହି କାମ କରିବା ନିଷେଧ ନୁହେଁ:-

  • ଖରମାସରେ ବିବାହ ସହ ଜଡିତ ଚର୍ଚ୍ଚା , ବିବାହର ସହମତି , ପୂର୍ବରୁ ଆରମ୍ଭ କରାଯାଇଥିବା କାର୍ଯ୍ୟର ଶେଷ , ସରକାରୀ କାର୍ଯ୍ୟ , ଶିକ୍ଷାନୁଷ୍ଠାନରେ ଆଡମିଶନ , ସମ୍ପତ୍ତି ରେଜିଷ୍ଟ୍ରେସନ, ଯାନବାହନ ବୁକିଂ, ଆନ୍ତରିକତା , ଅଧ୍ୟୟନ , ସାଧାରଣ ଦିନଚର୍ଯ୍ୟା କିମ୍ବା ଦୈନନ୍ଦିନ ବ୍ୟବସ୍ଥାରେ କାର୍ଯ୍ୟ ଆଦି କରାଯାଇପାରିବ।
  • କିନ୍ତୁ ଏହି ମାସରେ ଗର୍ଭଧାନ, ପୁଂସବନ, ସିମନ୍ତୋନ୍ନୟନ, ନାମକରଣ, ଅନ୍ନପ୍ରାଶନ ଇତ୍ୟାଦି କରାଯାଇପାରିବ । 
  • ମଳମାସରେ କୌଣସି କାମ୍ୟ କର୍ମର ଆରମ୍ଭ ଓ ସମାପ୍ତି କରଣୀୟ ନୁହେଁ କିନ୍ତୁ ଆରମ୍ବ ଓ ସମାପ୍ତି ମଝିରେ ମଳମାସ ପଡ଼ିଲେ ସେ କାମ ମଳମାସରେ ମଧ୍ୟ କରାଯିବ । 
  • ଅମାବାସ୍ୟା ଶ୍ରାଦ୍ଧ ମଳ ଓ ଶୁଦ୍ଧ ଉଭୟ ମାସରେ କରଣୀୟ । ଶୁଦ୍ଧ ମାସରେ ମୃତ ବ୍ୟକ୍ତିର ପ୍ରଥମ ସାମ୍ବତ୍ସରିକ ଶ୍ରାଦ୍ଧ ଓ ମଳମାସରେ ମୃତ ବ୍ୟକ୍ତିର ଅନ୍ୟ ସାମ୍ବତ୍ସରିକ ମଳ ମାସରେ କରଣୀୟ । 
  • ନିଷେକ, ପରବର୍ତ୍ତୀ ଦ୍ୱିତୀୟାରେ ହେଉଥିବା ନବଗ୍ରହ ବନ୍ଦାପନା, ନୂତନ ଗୟାଶ୍ରାଦ୍ଧ ମଳମାସରେ କରଣୀୟ । 
  • ପୁଂସବନଠାରୁ, ଜାତକ କର୍ମ, ଅନ୍ନପ୍ରାଶନ ପର୍ଯ୍ୟନ୍ତ ୬ ଗୋଟି କର୍ମ, ପ୍ରେତ କର୍ମ ଓ ଅଲଭ୍ୟ ଯୋଗ ଶ୍ରାଦ୍ଧାଦି କର୍ମ ମଳମାସରେ କରଣୀୟ । 
  • ନିୟମିତ ଭାବେ କରାଯାଉଥିବା ଶୁଭ କାର୍ଯ୍ୟ କିମ୍ବା ଧାର୍ମିକ ଅନୁଷ୍ଠାନରେ ମଳମାସରେ ସବୁ କାର୍ଯ୍ୟ କରିପାରିବେ। ଏଠାରେ ମଳମାସରେ କୌଣସି ବାରଣ ନଥାଏ।

ଆଶା କରୁଛୁ ଏହି ଆର୍ଟିକିଲ୍‌ଟିରେ ଥିବା ମଳମାସ ସମ୍ଭନ୍ଧିତ ସୁଚନାଟି ସମସ୍ତଙ୍କ ପାଇଁ ଦରକାରୀ । ସୁଚନାଟି ଭଲ ଲାଗିଲେ Like ଓ Share କରିବାକୁ ଭୁଲିବେ ନାହିଁ | ଯଦି ଆପଣଙ୍କୁ ଆମର ଏହି ଆଟିକିଲ୍‌ ଟି ପସନ୍ଦ ଆସିଥାଏ ତେବେ ନିଜ ମତାମତ Comment କରି ନିଶ୍ଚୟ ଜଣାନ୍ତୁ 

ଦୟାକରି ନୂଆଁ ନୂଆଁ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟକୁ ନିଶ୍ଚୟ ଆରମ୍ଭ ଠୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ |

ଧନ୍ୟବାଦ

Post a Comment

0 Comments